ଚନ୍ଦ୍ରାୟନ ୨ ଅବତରଣକୁ ମୋଦିଙ୍କ ସହ ଦେଖିବେ ୨ ଓଡିଆ ଛାତ୍ରଛାତ୍ରୀ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଚନ୍ଦ୍ରାୟନ ୨ ଆସନ୍ତା ୭ତାରିଖ ରାତି ୧ଟା ୫୫ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ଚନ୍ଦ୍ରାୟନ-୨ର ଅବତରଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୬୦ଜଣ ଛାତ୍ରଛାତ୍ରୀଙ୍କ ସହିତ ମିଶି ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି । ଇସ୍ରୋର ବେଙ୍ଗାଲୁରୁସ୍ଥିତ ମୁଖ୍ୟ କାର୍ୟ୍ୟାଳୟରେ ଚନ୍ଦ୍ରାୟନ ୨ ଅବତରଣର ଦୃଶ୍ୟ ଦେଖିବାକୁ ସମସ୍ତ ଆୟୋଜନ କରାଯାଇଛି । ଏହି ୬୦ ଜଣ ମନୋନିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରାଜ୍ୟର ଝାରସୁଗୁଡା ଏମସିଏଲ ଡିଏଭି ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ର ଚିନ୍ମୟ ଚୌଧୁରୀ ଓ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲର ନବମ ଶ୍ରେଣୀ ଛାତ୍ରୀ ସରନ୍ୟା ନନ୍ଦା ସ୍ଥାନ ପାଇଛନ୍ତି ।
ଅଗଷ୍ଟ ୧୦ରୁ ୨୫ତାରିଖ ମଧ୍ୟରେ ଦେଶରେ ବିଶିଷ୍ଟ ବିଜ୍ଞାନ କୁଇଜ ଅନଲାଇନରେ ହୋଇଥିଲା। ଛାତ୍ରଛାତ୍ରୀଙ୍କୁ ୧୦ମିନିଟ ମଧ୍ୟରେ ୨୦ଟି ପ୍ରଶ୍ନର ଉତ୍ତର ଦେବାକୁ କୁହାଯାଇଥିଲା । ଏହି ପରୀକ୍ଷାରେ ୬୦ଜଣ ଛାତ୍ରଛାତ୍ରୀ ସଫଳ ହୋଇଥିଲେ । ୨ ଓଡିଆ ଛାତ୍ରଛାତ୍ରୀଙ୍କୁ ନେଇ ରାଜ୍ୟରେ ଉତ୍ସାହ ଦେଖା ଦେଇଛି ।