ଚନ୍ଦ୍ରର ତୃତୀୟ କକ୍ଷରେ ଚନ୍ଦ୍ରାୟନ-୨

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆଜି ସକାଳୁ ଚନ୍ଦ୍ରାୟନ-୨ ସଫଳତାର ଆଉ ଏକ ପାହାଚ ଚଢିଛି । ସକାଳ ୯ଟା ୪ରେ ଚନ୍ଦ୍ରର ତୃତୀୟ କକ୍ଷପଥରେ ପହଞ୍ଚିଛି ଚନ୍ଦ୍ରାୟନ-୨ । ଆସନ୍ତା ଦୁଇ ଦିନ ଧରି ଚନ୍ଦ୍ରଯାନ-୨ ଏହି କକ୍ଷପଥରେ ବୁଲିବ। ଅଗଷ୍ଟ ୩୦ ତାରିଖରେ ଚତୁର୍ଥ କକ୍ଷପଥରେ ଏହି ମହାକାଶଯାନ ଅବସ୍ଥାପିତ ହେବ ।
ସେପ୍ଟେମ୍ବର ୧ ତାରିଖରେ ପଂଚମ କକ୍ଷ ପଥରେ ଅବସ୍ଥାପିତ ହେବ । ଏହା ପରେ ୨ ତାରିଖରେ ଚନ୍ଦ୍ରଯାନ-୨ରୁ ଅଲଗା ହେବ ଲାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ଚନ୍ଦ୍ର ଆଡକୁ ଖସିବ । ୩ ତାରିଖରେ ବିକ୍ରମ ଲାଣ୍ଡରର ଅବସ୍ଥା ଯାଂଚ କରାଯିବ । ୩୦ ସେକେଣ୍ଡ ମଧ୍ୟରେ ଇଂଜିନ ଚାଲୁ କରାଯାଇ କକ୍ଷରେ ସାମାନ୍ୟ ପରିବର୍ତ୍ତନ କରାଯିବ । ୪ ତାରିଖରେ ବିକ୍ରମ ଚନ୍ଦ୍ରର ସବୁଠୁ ନିକଟତର ହେବ। ଏହି କ୍ରମରେ ୭ ତାରିଖ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରହିବ । କାରଣ ୭ ତାରିଖରେ ଚନ୍ଦ୍ର ମାଟି ଛୁଇଁବ ବିକ୍ରମ । ଏହାର ୨ ଘଂଟା ପରେ ପ୍ରଜ୍ଞାନ ବିକ୍ରମରୁ ବାହାରି ଚନ୍ଦ୍ର ପୃଷ୍ଠରେ ବିଚରଣ କରିବ ।