ସେପ୍ଟେମ୍ବର ୭: ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରାୟନ-୨

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଚନ୍ଦ୍ରଯାନ-୨ ସେପ୍ଟେମ୍ବର ୭ ତାରିଖରେ ଅବତରଣ କରିବାକୁ ଯାଉଛି । ଶନିବାର, ଏପରି ସୂଚନା ଦେଇଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ।
ଇସ୍ରୋର ଆନୁଷ୍ଠାନିକ ଟୁଇଟର୍‌ ହ୍ୟାଣ୍ଡଲ୍‌ ପୋଷ୍ଟ୍‌ରୁ ମେସେଜ ଆସିଛି, ହେଲୋ! ସ୍ୱତନ୍ତ୍ର ସତ୍ୟତାମ ଖବର ସହ ମୁଁ ଚନ୍ଦ୍ରଯାନ-୨। ପୃଥିବୀରେ ଥିବା ସମସ୍ତଙ୍କୁ ମୁଁ ଜଣାଇ ଦେବାକୁ ଚାହେଁ ଯେ ଏପର୍ୟ୍ୟନ୍ତ ଏ ଯାତ୍ରା ମୋ ପାଇଁ ବଡ଼ ବିଚିତ୍ର ରହିଛି । ସେପ୍ଟେମ୍ବର ୭ ତାରିଖ ଦିନ ମୁଁ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଓହ୍ଲାଇବାକୁ ଯାଉଛି। ମୁଁ କେଉଁଠି ଏବଂ କ’ଣ କରୁଛି ଜାଣିବାକୁ ସଜାଗ ରୁହ।
ଗୋଟାଏ ଅର୍ବିଟର୍‌, ଗୋଟାଏ ଲ୍ୟାଣ୍ଡର୍‌ ଏବଂ ଗୋଟାଏ ରୋଭର୍‌କୁ ମିଶାଇ ଏହି ମହାକାଶ ଯାନ ଗଠିତ। ଚନ୍ଦ୍ରପୃଷ୍ଠରେ ଧୀର ଅବତରଣ କରାଇବାକୁ ଏହା ହେଉଛି ଭାରତର ପ୍ରଥମ ଉଦ୍ୟମ। ଏହା ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକା, ରୁଷ୍‌ ଏବଂ ଚୀନ୍‌ ଚନ୍ଦ୍ରପୃଷ୍ଠରେ ଧୀର ଅବତରଣ କରାଇସାରିଛନ୍ତି।