(ପ୍ରିୟଦର୍ଶନୀ ସ୍ୱାଇଁ): ମନ୍ଦିରରେ ଲୋକେ ଘିଅ ସହାୟତାରେ ଦୀପ ଜାଳି ଭଗବାନଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। କିନ୍ତୁ ଏଠାରେ ଏମିତି ଏକ ଦୀପ ରହିଛି, ଯାହା ଘିଅ କି ତେଲ ନୁହେଁ ବରଂ ପାଣିରେ ଜଳୁଛି । ମଧ୍ୟପ୍ରଦେଶର ନଲଖେଡ଼ା ନିକଟସ୍ଥ କାଳିସିନ୍ଧ ନଦୀ କୂଳରେ ରହିଛି ଏକ ଅଦ୍ଭୁତ ମନ୍ଦିର। ଗଡ଼ିଆଘାଟ ମାତା ନାମରେ ପ୍ରସିଦ୍ଧ ଏହି ମନ୍ଦିରର ଏକ ଅଲୌକିକ ଘଟଣା ବିଶ୍ୱବିଖ୍ୟାତ। ଗତ ୫ ବର୍ଷ ପୂର୍ବେ ହଠାତ୍ ମନ୍ଦିରର ପୂଜକଙ୍କୁ ମା’ ପାଣିରେ ଦୀପ ଜାଳିବାକୁ ସ୍ବପ୍ନାଦେଶ କଲେ। ସକାଳୁ ଉଠି ପୂଜକ କାଳିସିନ୍ଧ ନଦୀରୁ ପାଣି ଆଣି ଦୀପ ଜଳାଇଲେ। ଆଶ୍ଚର୍ୟ୍ୟଜନକ ଭାବେ ଦୀପଟି ସୁରୁଖୁରୁରେ ଜଳିବାକୁ ଲାଗିଲା। ପ୍ରଥମେ ଏହି ଘଟଣା ଉପରେ କେହି ବିଶ୍ୱାସ କରୁ ନ ଥିଲେ। କିନ୍ତୁ ପରେ ସମସ୍ତେ ଦୀପରେ ପାଣି ଦେଇ ଜଳାଇବା ପରେ ତଟସ୍ଥ ହୋଇଗଲେ। ସେବେଠୁ ଆଜିଯାଏ ଏଠାରେ କାଳିସିନ୍ଧ ନଦୀ ଜଳରେ ହିଁ ଦୀପ ଜଳୁଛି। ଘଟଣା ଚାରିଆଡ଼େ ପ୍ରଚାର ହେଲା। ମା’ଙ୍କ ଏହି ଅଦ୍ଭୁତ ମହିମାକୁ ଦେଖିବାକୁ ଦୂର ଦୂରାନ୍ତରୁ ଲୋକେ ଆସିବାକୁ ଲାଗିଲେ।