(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଆଜି ଠାରୁ ଆରମ୍ଭ ହୋଇଛି ଓଡ଼ିଶାର ଗଣପର୍ବ ରଜ । ଓଡ଼ିଶାରେ ପାଳିତ ହେଉଥିବା ପର୍ବ ମଧ୍ୟରେ ରଜ ପର୍ବ ଏକ ସ୍ୱତନ୍ତ୍ର ପର୍ବ । କାରଣ ଏହା ସିଧାସଳଖ ପ୍ରକୃତି , କୃଷି ଓ ଧରିତ୍ରୀ ମା ସହ ଜଡ଼ିତ । ଏହି ସମୟରେ ପୃଥିବୀ ମା ରଜବତୀ ହେବା ସହ ଉତ୍ପାଦନକ୍ଷମ ହୋଇ ଧରିତ୍ରୀକୁ ଶସ୍ୟଶ୍ୟାମଳା କରିଥାନ୍ତି । ତେଣୁ କରି ଏହି ସମୟରେ ଧରିତ୍ରୀ ମାକୁ ବିଶ୍ରାମ ଦିଆଯାଇଥାଏ । ଏହି ଅବସରରେ କୃଷକ ତିନି ଧରି ଚାଷ କାମ ବନ୍ଦରଖିଥାଏ । ଧରିତ୍ରୀମାକୁ ଆଘାତ ଲାଗିବା ପରି ସମସ୍ତ କାର୍ଯ୍ୟ ବନ୍ଦ ରଖାଯାଇଥାଏ ।
ଏହି ଉଦ୍ଦଶ୍ୟରେ ଧରିତ୍ରୀମା ସହିତ ଘରର ଝିଅ ବେହୂଙ୍କୁ ତୁଳନା କରାଯାଇଥାଏ । କାରଣ ଧରିତ୍ରୀ ମା ପରି ଝିଅ ମଧ୍ୟ ବାଲ୍ୟରୁ କୈଶୋର ଓ ଋତୁମତି ହୋଇ ଯୌବନ ଲାଭ କରି ପ୍ରଜନନ କ୍ଷମତା ଲାଭ କରିଥାଏ । ତେଣୁ କରି ମା ପାରି ମାଟି ମଧ୍ୟ ପୂଜନୀୟ । ତେଣୁ ଏହାକୁ ଝିଅଙ୍କ ପର୍ବ ମଧ୍ୟ କୁହାଯାଏ । ଏହି ତିନିଦିନ ଝିଅ ବୋହୂମାନଙ୍କୁ କାମ କରିବା ମନା। ଧରଣୀ ମା’ ପରି ଝିଅବୋହୂମାନଙ୍କୁ ମଧ୍ୟ ଏହି ତିନିଦିନ ବିଶ୍ରାମ ଦିଆଯାଏ। ସମସ୍ତେ କେବଳ ପୋଡ଼ ପିଠା ଖାଇ, ରଜ ଦୋଳିରେ ଝୁଲି ରଜପାନର ମଜା ନେଇ ଖୁସି ମନାଇଥାନ୍ତି।
ଏହି ଦିନରେ ମାଟିରେ ଖାଲିପାଦରେ ଚାଲିବା ମନା। ପାଦରେ କଦଳି ପଟୁଆରେ ତିଆରି ଚପଲ ପିନ୍ଧି ଝିଅମାନେ ଚଲାବୁଲା କରିବାର ପରମ୍ପରା ରହିଛି। ରଜ ତିନି ଦିନ ପରେ ଚତୁର୍ଥ ଦିନ ସକାଳୁ ଶିଳପୁଆରେ ହଳଦୀ କନା ଗୁଡ଼ାଇ ସିନ୍ଦୂର, କଜଳ ଦେଇ କଳସରେ ଆମ୍ବଡାଳ ରଖି କ୍ଷୀରରେ ସ୍ନାନ କରାଯାଏ। ମାସିକ ଧର୍ମର ବିଧି ଅନୁଯାୟୀ ତିନିଦିନ ରଜସ୍ୱଳା ହୋଇ ମାତା ଅସୁଦ୍ଧ ରହିବା ପରେ ଏହି ଦିନ ତାଙ୍କୁ ସ୍ନାନ କରାଯାଇ ଶୁଦ୍ଧ କରାଯାଏ।