ରୁଷିଆ: ମିଛ ଓ ଅସମ୍ମାନଜନକ ପୋଷ୍ଟ ପାଇଁ ହେବ ଜେଲ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଦେଶ, ସମାଜ, ସରକାରର ଅସମ୍ମାନ କରିବା ପରି ଅନ୍‌ଲାଇନ୍‌ ପୋଷ୍ଟ୍‍ କରୁଥିବା ଲୋକଙ୍କୁ ଏଣିକି ଜେଲ ହେବ । ଏଥିନେଇ ଏକ ଆଇନ ପ୍ରଣୟନ କରିଛି ରୁଷିଆ । ଆଇନ ଅନୁଯାୟୀ, ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବା ଅନ୍ୟ କୌଣସି କର୍ମଚାରୀଙ୍କ ସମ୍ମାନହାନୀ କଲା ପରି କିଛି ଅନଲାଇନ ପୋଷ୍ଟ କରିବ, ତେବେ ତାକୁ ଜେଲ ଯିବାକୁ ହେବ । ଏପରି ଆଇନକୁ ଗତକାଲି ରୁଷିଆ ରାଷ୍ଟ୍ରପତି ପୁଟିନ ସ୍ୱାକ୍ଷର କରିଛନ୍ତି ।
ଜେଲ ବ୍ୟତୀତ ଭାରତୀୟ ମୁଦ୍ରାରେ ପ୍ରାୟ ୧, ୦୬, ୩୧୫ଟଙ୍କା ଜରିମାନା କରାଯିବ । ଯଦି କେହି ଏପରି କାମ ବାରମ୍ବାର କରେ ତେବେ ଏହି ଜରିମାନା ରାଶି ପ୍ରତିଥର ଦ୍ୱିଗୁଣିତ ହେବ । ମିଛ ଖବର ପ୍ରସାରଣ କରୁଥିôବା ଗଣମାଧ୍ୟମ ଓ ୱେବସାଇଟ ଉପରେ ଅଙ୍କୁଶ ଲଗାଇବା ଲକ୍ଷ୍ୟରେ ସେଠା ସରକାର ଏପରି ପଦକ୍ଷେପ ନେଇଥିବା କୁହାଯାଉଛି । ତେବେ ଏହି ଆଇନକୁ ନେଇ ସେଠାରେ ମିଳିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି । କେତେକ ଏହାକୁ ବାକ୍ ସ୍ୱାଧୀନତା ଉପରେ ଅଙ୍କୁଶ ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ।