ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ଯୁବକଙ୍କୁ ମାଡ଼ ମାରି ହତ୍ୟା ଅଭିଯୋଗ ଘଟଣାରେ ସାମ୍ନାକୁ ଆସିଛି CCTV ଫୁଟେଜ୍ । ଫୁଟେଜ୍ରେ କିଛି ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ହେଉଥିବା ଦୃଶ୍ୟ କଏଦ ହୋଇଛି । ମୃତ ଯୁବକ ହେଉଛନ୍ତି ସ୍ମୃତି ରଞ୍ଜନ ମାର୍ଥା ଓରଫ ରିଙ୍କୁ । ଗାଁର କିଛି ଲୋକଙ୍କ ଆକ୍ରମଣରେ ରିଙ୍କୁଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।
ସୂଚନା ଅନୁଯାୟୀ, ତିନି ଦିନ ତଳେ ବାଲିଅନ୍ତା ପାଟେଣା ଗାଁର ଲକ୍ଷ୍ମୀ ଆପାର୍ଟମେଣ୍ଟ ଛକ ନିକଟରେ ଗଣ୍ଡଗୋଳ ହୋଇଥିଲା । ଆପାର୍ଟମେଣ୍ଟ ସମ୍ମୁଖରେ ଥିବା ଅଶୋକ ଜେନାଙ୍କ ଦୋକାନ ଘର ନିକଟରେ ରିଙ୍କୁଙ୍କ ସାନ ଭାଇ ପିଙ୍କୁ ଗାଁର କିଛି ସାଙ୍ଗଙ୍କ ସହ ଯୁକ୍ତିତର୍କ କରୁଥିଲେ। ଏହି ସମୟରେ ଅଶୋକ ଜେନା ସେମାନଙ୍କୁ ବିରୋଧ କରିବା ସହ ସେଠାରୁ ଚାଲିଯିବାକୁ କହିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଅଶୋକ ଓ ପିଙ୍କୁଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଅଶୋକଙ୍କ ଦୁଇ ପୁଅ ଅମରେଶ ଓ ଆଶିଷ ସେଠାରେ ପହଞ୍ଚିବା ପରେ ଗଣ୍ଡଗୋଳ ଆହୁରି ତୀବ୍ର ହୋଇଥିଲା।
ଏହି ଘଟଣାରେ ଅଶୋକ ଜେନା ଓ ତାଙ୍କ ଦୁଇ ପୁଅ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଗଣ୍ଡଗୋଳରେ ଗୁରୁତର ଆହତ ହୋଇଥିବା ରିଙ୍କୁଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି।
ଅନ୍ୟପଟେ, ସୌମ୍ୟରଞ୍ଜନଙ୍କ ହତ୍ୟା ଘଟଣା ପରେ ଏବେ ରିଙ୍କୁଙ୍କ ମୃତ୍ୟୁ ମାମଲା ବାଲିଅନ୍ତା ପୁଲିସ ପାଇଁ ଆଉ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଫେରାର ଥିବା ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ଗଣ୍ଡଗୋଳର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି ।