ରେଭେନ୍ସାରେ ହଷ୍ଟେଲ ସିଟ୍ ସମସ୍ୟା , ବାହାରେ ରହିବାକୁ ବାଧ୍ୟ ହଜାର ହଜାର ଛାତ୍ରଛାତ୍ରୀ

ରାଜ୍ୟର ଅନ୍ୟତମ ପ୍ରମୁଖ ଶିକ୍ଷାନୁଷ୍ଠାନ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଏବେ ହଷ୍ଟେଲ ସିଟ୍‌କୁ ନେଇ ଦେଖାଦେଇଛି ବଡ଼ ସମସ୍ୟା। ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ୁଥିବାବେଳେ ସେହି ଅନୁପାତରେ ହଷ୍ଟେଲ ସିଟ୍ ନଥିବାରୁ ଅନେକ ଛାତ୍ରଛାତ୍ରୀ କ୍ୟାମ୍ପସ୍‌ରେ ରହିବା ସୁବିଧାରୁ ବଞ୍ଚିତ ହେଉଛନ୍ତି। ଫଳରେ ସେମାନଙ୍କୁ କ୍ୟାମ୍ପସ୍ ବାହାରେ ଘରୋଇ ହଷ୍ଟେଲ ଓ ମେସ୍‌ରେ ଅଧିକ ଖର୍ଚ୍ଚ କରି ରହିବାକୁ ପଡ଼ୁଛି।

ରେଭେନ୍ସା ବିଶ୍ୱବିଦ୍ୟାଳୟର ୪୦ରୁ ଅଧିକ ବିଭାଗରେ ୭ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। କିନ୍ତୁ ସେମାନଙ୍କ ରହିବା ପାଇଁ ରହିଛି ମାତ୍ର ୧୩ଟି ହଷ୍ଟେଲ। ଏହି ସମସ୍ତ ହଷ୍ଟେଲରେ ମୋଟ୍ ପ୍ରାୟ ୩ ହଜାର ୪୫୦ଟି ସିଟ୍ ଉପଲବ୍ଧ ରହିଛି। ଅର୍ଥାତ୍ ମୋଟ୍ ଛାତ୍ରଛାତ୍ରୀଙ୍କ ସଂଖ୍ୟା ତୁଳନାରେ ହଷ୍ଟେଲ ସିଟ୍ ସଂଖ୍ୟା ଯଥେଷ୍ଟ କମ୍ ରହିଛି।

୧୩ଟି ହଷ୍ଟେଲ ମଧ୍ୟରୁ ୭ଟି ଛାତ୍ରଙ୍କ ପାଇଁ ଓ ୬ଟି ଛାତ୍ରୀଙ୍କ ପାଇଁ ରହିଛି। ଛାତ୍ରଙ୍କ ପାଇଁ କ୍ୟାମ୍ପସ୍ ଭିତରେ ୬ଟି ହଷ୍ଟେଲ ଥିବାବେଳେ ଯୋବ୍ରା ଅଞ୍ଚଳରେ କ୍ୟାମ୍ପସ୍ ବାହାରେ ଆଉ ଏକ ହଷ୍ଟେଲ ରହିଛି। ସେହିପରି ଛାତ୍ରୀଙ୍କ ପାଇଁ ପୁରୁଣା କ୍ୟାମ୍ପସ୍‌ରେ ୫ଟି ହଷ୍ଟେଲ ଏବଂ ନରାଜସ୍ଥିତ ଦ୍ୱିତୀୟ କ୍ୟାମ୍ପସ୍‌ରେ ଗୋଟିଏ ହଷ୍ଟେଲ ରହିଛି।

ସୀମିତ ସିଟ୍ ଯୋଗୁଁ ହଷ୍ଟେଲ ଆବଣ୍ଟନ ପାଇଁ ମେରିଟ୍ ଓ ଘରଠାରୁ ବିଶ୍ୱବିଦ୍ୟାଳୟର ଦୂରତାକୁ ପ୍ରାଥମିକତା ଦିଆଯାଉଛି। ଫଳରେ ଅନେକ ମେଧାବୀ ଛାତ୍ରଛାତ୍ରୀ ମଧ୍ୟ ହଷ୍ଟେଲ ସିଟ୍ ପାଇବାରୁ ବଞ୍ଚିତ ହେଉଛନ୍ତି। ହଷ୍ଟେଲ ଆଶାରେ ରେଭେନ୍ସାରେ ନାମ ଲେଖାଇଥିବା ଅନେକ ଛାତ୍ରଛାତ୍ରୀ ଏବେ ବାଧ୍ୟ ହୋଇ କ୍ୟାମ୍ପସ୍ ବାହାରେ ରହିବାର ବିକଳ୍ପ ଖୋଜୁଛନ୍ତି।

ବେସରକାରୀ ହଷ୍ଟେଲ ଓ ମେସ୍‌ରେ ରହିବା ପାଇଁ ଅଧିକ ଅର୍ଥ ଖର୍ଚ୍ଚ ହେଉଥିବାରୁ ଏହା ଛାତ୍ରଛାତ୍ରୀଙ୍କ ସହ ଅଭିଭାବକଙ୍କ ଉପରେ ମଧ୍ୟ ଅତିରିକ୍ତ ଆର୍ଥିକ ବୋଝ ପକାଉଛି। ଏଭଳି ସ୍ଥିତିରେ ବିଶ୍ୱବିଦ୍ୟାଳୟରେ ନୂଆ ହଷ୍ଟେଲ ନିର୍ମାଣ କରି ସିଟ୍ ସଂଖ୍ୟା ବୃଦ୍ଧି କରିବା ଦାବି ଜୋର ଧରିଛି। ତେବେ ରେଭେନ୍ସାରେ ଦେଖାଦେଇଥିବା ଏହି ହଷ୍ଟେଲ ସିଟ୍ ସଙ୍କଟ କେବେ ଦୂର ହେବ ଏବଂ ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ଅନୁସାରେ କେବେ ନୂଆ ସିଟ୍ ବୃଦ୍ଧି କରାଯିବ, ତାହା ଏବେ ସମସ୍ତଙ୍କ ଅପେକ୍ଷା।