ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ବଦଳିବା ସହିତ, ଆହୁରି ସୁଗମ ହେବ ମହାପ୍ରଭୁଙ୍କ ଦର୍ଶନ । ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଖୁବ୍ ଶୀଘ୍ର ସ୍ଲଟ୍ ବୁକିଂ ମାଧ୍ୟମରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବ । ପ୍ରଥମେ ପରୀକ୍ଷାମୂଳକ ଭାବରେ ସ୍ଲଟ ବୁକିଂ ଦର୍ଶନ ବ୍ୟବସ୍ଥା କରାଯିବ ଏବଂ ମ୍ୟାନେଜିଂ କମିଟିରେ ଏନେଇ ଆଲୋଚନା ପରେ ସ୍ଲଟ୍ ବୁକିଂକୁ ନେଇ ନିଷ୍ପତ୍ତି ହେବ । ନାଟମଣ୍ଡପକୁ ମଧ୍ୟ ଖୁବଶୀଘ୍ର ଏୟାର କଣ୍ଡିସନିଙ୍ଗ୍ ପ୍ରକ୍ରିୟା ଆରମ୍ଭ ହେବ । ସେହିଭଳି ଧାଡ଼ି ଦର୍ଶନକୁ ନେଇ ପ୍ରସ୍ତୁତ ରାମ୍ପକୁ ଖୁବଶୀଘ୍ର ଲାଗୁ କରାଯିବ ।

ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ମହାପ୍ରଭୁଙ୍କ ଦର୍ଶନକୁ ଅଧିକ ସୁଗମ କରିବା ପାଇଁ ସରକାର ବିଭିନ୍ନ ରାସ୍ତା ଆପଣାଉଛନ୍ତି । ଏଥିପାଇଁ ସ୍ଲଟ୍ ବୁକିଂ ଦର୍ଶନ ବ୍ୟବସ୍ଥା ଆରମ୍ଭ କରିବାକୁ ଯୋଜନା କରାଯାଉଛି । ତେବେ ଉଭୟ ଲାଇନ୍ ଏବଂ ସ୍ଲଟ ବୁକିଂ ଦର୍ଶନ ଜାରି ରହିବ, ସେନେଇ ଆମେ ଯୋଜନା କରୁଛୁ । ସ୍ଲଟ୍ ବୁକିଂ କରି ଶ୍ରଦ୍ଧାଳୁମାନେ କିଭଳି ନିର୍ଦ୍ଧିଷ୍ଟ ବୁକିଂ ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ,ତାକୁ ନଜରରେ ରଖି ଏଭଳି ବ୍ୟବସ୍ଥା ପାଇଁ ଚିନ୍ତା କରାଯାଉଛି ।
