ସ୍ତ୍ରୀକୁ ମାରି ପାଇଖାନା ଟାଙ୍କିରେ ପୋତିଦେଲା ସ୍ୱାମୀ । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ବୋର୍ ଗାଁ ରେ ଚାଞ୍ଚଲ୍ୟ। ମୃତକଙ୍କ ନାମ ମନେଇ ଗଣ୍ଡ ବୋଲି ଜଣା ପଡିଛି । ତେବେ ଏହି ଘଟଣାର ୪ ବର୍ଷର ପୁଅ ଖୋଲି ଦେଇଛି ଅସଲ ଗୁମର । ସମସ୍ତଙ୍କ ଆଗରେ ବଖାଣିଛି ଲୋମ ଟାଙ୍କୁରା କାହାଣୀ । ଘଟଣା ସାମ୍ନାକୁ ଆସିବା ପରେ ହତ୍ୟାକାରୀ ସ୍ୱାମୀ ସୁବାସ ଗଣ୍ଡକୁ ଥାନାରେ ଅଟକ ରଖିଛି ରାଇଘର ପୋଲିସ୍ ।
ସୂଚନ ଅନୁସାରେ, ଗତ ରବିବାର ରାତିରେ ପରିବାରର ସମସ୍ତ ସଦସ୍ୟ ମାନେ ଏକ ବାହାଘର ଭୋଜି ଖାଇବାକୁ ଯାଇଥିଲେ। କିନ୍ତୁ ରାତିରେ ସୁବାସ ଗଣ୍ଡ ପରିବାର ସହ ଘରକୁ ପଳାଇ ଆସିଥିଲା । ସେହି ରାତିରେ ନିଶାସକ୍ତ ଅବସ୍ଥାରେ ସୁବାସ ଏବଂ ମନେଇଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ସୁବାସ ସ୍ତ୍ରୀ ମନେଇକୁ ମାଡ଼ ମାରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହା ପରେ ସ୍ତ୍ରୀ କୁ ନେଇ ପାଇଖାନା ଟାଙ୍କିରେ ପକାଇ ଦେଇ ଆସିଥିଲା ସୁବାସ । ସକାଳେ ସ୍ତ୍ରୀ ଘରୁ କୁଆଡେ ଚାଲିଯାଇଥିବା ବିଷୟରେ ଗ୍ରାମବାସୀଙ୍କୁ କହିଥିଲା । କିନ୍ତୁ ୪ ବର୍ଷର ପୁଅ ଗ୍ରାମବାସୀଙ୍କ ସମ୍ମୁଖରେ ସବୁ ସତ କହିଥିଲା । ଯାହାପରେ ଗ୍ରାମବାସୀମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାଇଖାନା ଟାଙ୍କିରୁ ମୃତଦେହକୁ ଉଦ୍ଧାର କରିଛି । ଏହାସହ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ । ଅଧିକ ତଦନ୍ତ ପାଇଁ ନବରଙ୍ଗପୁରରୁ ଏକ ସାଇଣ୍ଟିଫିକ ଟିମ୍ କୁ ଡକାଯାଇଛି ।