‘ଦ ହଣ୍ଡ୍ରେଡ’ ନିଲାମରେ ପାକିସ୍ତାନୀ ଖେଳାଳିଙ୍କୁ କିଣିବା ପରେ ବିବାଦରେ ସନରାଇଜର୍ସ ଲିଡ୍ସ

New Delhi: ନିକଟରେ ଦ ହଣ୍ଡ୍ରେଡ୍ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ସମାପ୍ତ ହୋଇଛି। ଏହି ନିଲାମରେ ସନରାଇଜର୍ସ ଲିଡ୍ସ ପାକିସ୍ତାନର ସ୍ପିନ ବୋଲର ଅବରାର୍ ଅହମ୍ମଦଙ୍କୁ ସେମାନଙ୍କ ଦଳରେ ସାମିଲ କରିଛି।ସନରାଇଜର୍ସ ଲିଡ୍ସ ଭାରତୀୟ ସନ୍ ଗ୍ରୁପ୍ ମାଲିକାନାରେ ଥିବା ଦଳ। ଏହି ଗ୍ରୁପ୍‌ ସନରାଇଜର୍ସ ହାଇଦ୍ରାବାଦ୍ ଦଳର ମଧ୍ୟ ମାଲିକ। ଦ ହଣ୍ଡ୍ରେଡ ନିଲାମରେ ପାକିସ୍ତାନୀ ଖେଳାଳିଙ୍କୁ କିଣିଥିବା ଏକମାତ୍ର ଭାରତୀୟ ମାଲିକାନାରେ ଥିବା ଦଳ ଭାବେ ସନରାଇଜର୍ସ ଲିଡ୍ସ ଚର୍ଚ୍ଚାରେ ଆସିଛି।

ନିଲାମ ପୂର୍ବରୁ ଦୁଇ ଦେଶ ମଧ୍ୟରେ ରାଜନୈତିକ ସମ୍ପର୍କ ତିକ୍ତ ଥିବାରୁ ଭାରତୀୟ ମାଲିକାନାରେ ଥିବା ଦଳମାନେ ପାକିସ୍ତାନୀ ଖେଳାଳିଙ୍କୁ କିଣିବେ ନାହିଁ ବୋଲି ଖବର ଆସିଥିଲା। କିନ୍ତୁ ନିଲାମ ସମୟରେ ସନରାଇଜର୍ସ ଲିଡ୍ସ ଅବରାର ଅହମ୍ମଦଙ୍କୁ ପ୍ରାୟ ୨୫୫ ହଜାର ଡଲାରରେ କିଣି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହି ନିଲାମରେ ସନରାଇଜର୍ସର ମାଲିକ Kavya Maran ମଧ୍ୟ ଉପସ୍ଥିତ ଥିଲେ।

ଏହି ନିଷ୍ପତ୍ତି ପରେ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। କେତେକ ପ୍ରଶଂସକ Indian Premier League ରୁ ସନରାଇଜର୍ସ ହାଇଦ୍ରାବାଦକୁ ବାହାର କରିବା ପର୍ଯ୍ୟନ୍ତ ଦାବି କରୁଛନ୍ତି। ପରିସ୍ଥିତି ଏପରି ହୋଇଥିଲା ଯେ ବିବାଦ ବଢିବା ପରେ ସନରାଇଜର୍ସ ଲିଡ୍ସକୁ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ନିଜର ଆକାଉଣ୍ଟ ବନ୍ଦ କରିବାକୁ ପଡ଼ିଛି। ତେବେ ଫ୍ରାଞ୍ଚାଇଜି ପକ୍ଷରୁ ଏହି ଆକାଉଣ୍ଟ ବନ୍ଦ ହେବାର କୌଣସି ସ୍ପଷ୍ଟ କାରଣ ଦିଆଯାଇନାହିଁ। ଅନ୍ୟପଟେ ‘ଏକ୍ସ’ ପକ୍ଷରୁ କୁହାଯାଇଛି ଯେ ପ୍ଲାଟଫର୍ମର ନିୟମ ଉଲ୍ଲଙ୍ଘନ ହେତୁ ଏହି ଆକାଉଣ୍ଟକୁ ନିଲମ୍ବିତ କରାଯାଇଛି। ଏହି ଘଟଣା ଏବେ କ୍ରିକେଟ ମହଳ ଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି।