ଭୁବନେଶ୍ୱର ଜିଜିପି କଲୋନୀରେ ୟୁଟ୍ୟୁବର ରାହୁଲ ମହାରଣାଙ୍କ ହତ୍ୟା

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ୱରର ଜିଜିପି କଲୋନୀ ହାଇସ୍କୁଲ ପଡିଆରେ ୨୮ ଫେବ୍ରୁଆରୀ ରାତିରେ ଘଟିଥିବା ଏକ ହତ୍ୟାକାଣ୍ଡ ସାରା ଅଞ୍ଚଳକୁ ଉତ୍ତେଜିତ କରିଦେଇଛି। ସ୍ଥାନୀୟ ଯୁବକ ଓ ୟୁଟ୍ୟୁବର ରାହୁଲ ମହାରଣାଙ୍କୁ ଛୁରାମାଡ଼ରେ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି। ଘଟଣା ସମୟରେ ରାହୁଲ ତାଙ୍କ ସାଥୀମାନଙ୍କ ସହ ପଡିଆରେ ବସିଥିଲେ। ପାଖରେ ଜଣେ ସେନା ଯବାନ ଓ ତାଙ୍କର ଦୁଇ ପୁତୁରା ମଦ୍ୟପାନ କରୁଥିଲେ। କିଛି କଥାକଟାକଟି ନେଇ ଦୁଇ ପକ୍ଷ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଦେଖିଦେଖି ତାହା ହାତାହାତି ଓ ଛୁରା ଆକ୍ରମଣରେ ପରିଣତ ହୋଇଯାଇଥିଲା। ଗୁରୁତର ଆହତ ଅବସ୍ଥାରେ ରାହୁଲଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନେଇଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ରାହୁଲ ମହାରଣା ଗ୍ୟାସ୍ ଏଜେନ୍ସି ବ୍ୟବସାୟ ସହିତ ସୋସିଆଲ ମିଡିଆରେ ୟୁଟ୍ୟୁବର ଭାବେ ପରିଚିତ ଥିଲେ। ମାତ୍ର ତିନି ମାସ ପୂର୍ବରୁ ତାଙ୍କ ବିବାହ ହୋଇଥିଲା। ହଠାତ୍ ଏହି ଘଟଣା ପରିବାରକୁ ଭାଙ୍ଗିଦେଇଛି।ଘଟଣା ପରେ ମଞ୍ଚେଶ୍ୱର ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ ଘଟଣାସ୍ଥଳରେ ପହଁଚି ପ୍ରମାଣ ସଂଗ୍ରହ କରିଥିଲେ। ସିସିଟିଭି ଫୁଟେଜ ଆଧାରରେ ତିନି ଅଭିଯୁକ୍ତଙ୍କୁ ଆଟକ କରାଯାଇଥିବା ସୂଚନା ମିଳିଛି। ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ସେନା ଯବାନ ଥିବା କୁହାଯାଉଛି, ଯିଏ ଛୁଟିରେ ଘରକୁ ଆସିଥିଲେ। ଏହି ଘଟଣା ରାଜଧାନୀର ଏକ ଭିଆଇପି ଅଞ୍ଚଳରେ ଆଇନ-ଶୃଙ୍ଖଳା ପ୍ରଶ୍ନକୁ ଉଠାଇଛି। ରାତିରେ ସ୍କୁଲ ପଡିଆରେ କିପରି ମଦ ଆସର ବସୁଛି ଓ ନିଶାସକ୍ତତା କିପରି ଅପରାଧରେ ପରିଣତ ହେଉଛି—ଏନେଇ ସାଧାରଣ ମହଳରେ ଚର୍ଚ୍ଚା ଚାଲିଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ଏବଂ ଆଇନଅନୁସାରେ ପଦକ୍ଷେପ ନିଆଯିବ ବୋଲି କହିଛି।