ଦିଲ୍ଲୀ ଗଲେ ପିସିସି ସଭାପତି ଭକ୍ତ ଦାସ, ହାଇକମାଣ୍ଡ ସହ ଆଲୋଚନା ପରେ ପ୍ରାର୍ଥୀ ଫାଇନାଲ୍ ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (PCC) ସଭାପତି ଭକ୍ତ ଦାସ ଦିଲ୍ଲୀ ପାଇଁ ପ୍ରସ୍ଥାନ କରିଛନ୍ତି। ସେଠାରେ କଂଗ୍ରେସ ହାଇକମାଣ୍ଡଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବାକୁ ଥିବା ସୂଚନା ମିଳିଛି। ଭକ୍ତ ଦାସ କହିଛନ୍ତି ଯେ, ଏହି ବୈଠକ ପରେ ଦଳ ପକ୍ଷରୁ ପ୍ରାର୍ଥୀଙ୍କୁ ଫାଇନାଲ୍ କରାଯିବ। ସେ ଏହା ମଧ୍ୟ କହିଛନ୍ତି ଯେ, ରାଜ୍ୟରୁ ଜଣେ ପ୍ରତିଭା ସମ୍ପନ୍ନ ବ୍ୟକ୍ତିଙ୍କୁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ କରାଯିବ।

ବର୍ତ୍ତମାନ ୫ଟି ନାଁକୁ ନେଇ ଆଲୋଚନା ଚାଲିଛି। ସେହି ତାଲିକାରେ ପ୍ରଫେସର ପ୍ରଭାସ ପଟ୍ଟନାୟକ, ଆଇନଜୀବୀ ପି.କେ. ରାଏ, ଲଳିତ ମାନସିଂହ, ଡାକ୍ତର ସୁବ୍ରତ ଆଚାର୍ଯ୍ୟ ଓ ଦତ୍ତେଶ୍ୱର ହୋତାଙ୍କ ନାଁ ରହିଛି। ଏହାସହିତ ସେ କହିଛନ୍ତି ଯେ, ଯଦି ସ୍ୱାଧୀନ ଭାବେ ବିଜୁ ଜନତା ଦଳ (BJD) ଓ କଂଗ୍ରେସ ମଧ୍ୟରେ ସମର୍ଥନ ହୁଏ, ତେବେ ଏହା ଓଡ଼ିଶାର ସ୍ୱାର୍ଥକୁ ସୁରକ୍ଷିତ କରିପାରିବ। ଦିଲ୍ଲୀ ବୈଠକ ପରେ ପ୍ରାର୍ଥୀ ନିର୍ବାଚନ ନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।