ପୁଣି ଭିଜିଲାନ୍ସ ଜାଲରେ ଧରା ପଡିଲେ ଆଉ ଜଣେ ସରକାରୀ ବାବୁ

ପୁଣି ଭିଜିଲାନ୍ସ ଜାଲରେ ଧରା ପଡିଲେ ଆଉ ଜଣେ ସରକାରୀ ବାବୁ । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି କେନ୍ଦ୍ରାପଡ଼ା ଜିଲା ରାଜନଗର ତହସିଲ ଅନ୍ତର୍ଗତ କୋରଡ଼ାଗଡ଼ ସର୍କଲ ରାଜସ୍ବ ନିରୀକ୍ଷକ ପ୍ରଦ୍ୟୁମ୍ନ କୁମାର ବେହେରା । ଏକ ଜମି ପଟ୍ଟାକୁ ସଂଶୋଧନ କରାଇଦେବା ପାଇଁ ସେ ଲାଞ୍ଚ ନେଉଥିଲେ । ପୂର୍ବରୁ ମଧ୍ୟ ବହୁବାର ଲାଞ୍ଚ ନେଇ ଖସି ଯାଇଥିଲେ ରାଜସ୍ବ ନିରୀକ୍ଷକ । ବିନା ଲାଞ୍ଚରେ ତାଙ୍କ ପାଖରୁ କୌଣସି ଫାଇଲ ଘୁଞ୍ଚେ ନାହିଁ ବୋଲି ଅଭିଯୋଗ ହୋଇ ଆସୁଥିଲା । ଦୀର୍ଘ ଦିନ ଧରି ଭିଜିଲାନ୍ସ ତାଙ୍କୁ ସ୍କାନରରେ ରହିଥିଲା । ଆଜି ଅଭିଯୋଗକାରୀ ଟଙ୍କା ଦେବା ପରେ ନିରୀକ୍ଷକ ଟଙ୍କା ନେଇ ତହସିଲ ଅଫିସକୁ ଯିବାବେଳେ ଭିଜିଲାନ୍ସ ଟିମ୍‌ ଧରିଥିଲା । ରାଜସ୍ବ ନିରୀକ୍ଷକଙ୍କୁ ଅଧିକ ପଚରାଉଚରା ପାଇଁ କେନ୍ଦ୍ରାପଡ଼ା ଭିଜିଲାନ୍ସ ଅଫିସକୁ ନିଆଯାଇଛି ।