ଆସନ୍ତା ୧୯ରୁ ମାଟ୍ରିକ୍ ପରୀକ୍ଷା, ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ

କଟକ: ଆଉ ମାତ୍ର ଦିନକ ପରେ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା। ଏନେଇ Board of Secondary Education, Odisha (ବିଏସଇ) ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ପରୀକ୍ଷା ସମ୍ବନ୍ଧୀୟ ବିସ୍ତୃତ ସୂଚନା ଦେଇଛନ୍ତି।ବୋର୍ଡ ସଭାପତିଙ୍କ କହିବା ଅନୁସାରେ, ମୋଟ ୩୦୮୨ଟି ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା କରାଯାଇଛି। କପି କିମ୍ବା କୌଣସି ଅନିୟମିତତା କରୁଥିବା ଛାତ୍ରଛାତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। କେବଳ କପି କରିଲେ ନୁହେଁ, କପି ଯୋଗାଇଲେ ମଧ୍ୟ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଏହାସହ ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷାର୍ଥୀଙ୍କୁ କେନ୍ଦ୍ରରେ ପ୍ରବେଶ ପାଇଁ ଅତିରିକ୍ତ ୧୫ ମିନିଟ୍ ସମୟ ଦିଆଯାଇଛି। ପୂର୍ବରୁ ସକାଳ ୯ଟା ୧୫ ମିନିଟ୍ ପର୍ଯ୍ୟନ୍ତ ପ୍ରବେଶ ସମୟ ଥିଲା, ବର୍ତ୍ତମାନ ଏହାକୁ ୯ଟା ୩୦ ମିନିଟ୍ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ପାଇଁ ମଧ୍ୟ ବିଶେଷ ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ପରୀକ୍ଷାରେ ଅତିରିକ୍ତ ୫୦ ମିନିଟ୍ ସମୟ ଦିଆଯିବ। ସେଣ୍ଟର ପକ୍ଷରୁ ସହାୟକ ଲେଖାଳି ଯୋଗାଇଦିଆଯିବ। ଯଦି ପରୀକ୍ଷାର୍ଥୀ ଇଚ୍ଛା କରିବେ, ତେବେ ଦଶମ ଶ୍ରେଣୀରୁ ତଳ ଶ୍ରେଣୀର ଛାତ୍ରଙ୍କୁ ସହାୟକ ଭାବେ ଆଣିପାରିବେ।

ସୂଚନାଯୋଗ୍ୟ ଯେ, ଆସନ୍ତା ୧୯ ତାରିଖରୁ ପରୀକ୍ଷା ଆରମ୍ଭ ହେବ ଏବଂ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଶ୍ନପତ୍ର ବଣ୍ଟନ ଓ ସୁରକ୍ଷା ପାଇଁ ୩୨୨ଟି ନୋଡାଲ ସେଣ୍ଟର ସୃଷ୍ଟି କରାଯାଇଛି। ସମସ୍ତ ନୋଡାଲ ସେଣ୍ଟର ଓ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ସିସିଟିଭି ନଜରରେ ରଖାଯିବ। ଚଳିତବର୍ଷ ମୋଟ ୫ ଲକ୍ଷ ୬୧ ହଜାର ୯୭୯ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେବେ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି।