ସୁନାମଧନ୍ୟା କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ

କଟକ: ସୁନାମଧନ୍ୟା କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ କଟକର ସତୀ ଚଉରା ଶ୍ମଶାନରେ ସମ୍ପନ୍ନ ହୋଇଛି। ସମ୍ପର୍କୀୟ ଭାଇ ପ୍ରସନ୍ନ ପାତ୍ର ମୁଖାଗ୍ନି ଦେଇଥିଲେ। ୭୩ ବର୍ଷ ବୟସରେ ଗତକାଲି ସନ୍ଧ୍ୟାରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଗତ ୧୨ ତାରିଖରେ ଭୁବନେଶ୍ୱରରେ ଏକ ସାହିତ୍ୟ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ଅସୁସ୍ଥ ହୋଇ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପରେ ବ୍ରେନ ଷ୍ଟ୍ରୋକରେ ପୀଡ଼ିତ ହୋଇଥିବା ଜଣାପଡ଼ିଥିଲା। ଡାକ୍ତରମାନଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ତାଙ୍କୁ ବଞ୍ଚାଇ ପାରିନଥିଲେ।

୧୯୭୦ ଦଶକରୁ ଓଡିଆ ସଙ୍ଗୀତ ଜଗତରେ ଗୀତା ପଟ୍ଟନାୟକଙ୍କ ସୁରିଲା ସ୍ୱର ଶୁଣିବାକୁ ମିଳୁଥିଲା। ୧୯୭୧ ମସିହାରେ ସେ ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ହୋଇଥିଲେ। ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଅକ୍ଷୟ ମହାନ୍ତିଙ୍କ ଅନେକ ଗୀତରେ କଣ୍ଠଦାନ କରି ସେ ଶ୍ରୋତାମାନଙ୍କର ପ୍ରିୟ ଗାୟିକା ହୋଇଉଠିଥିଲେ। ପ୍ରାୟ ୧୫ଟି ଓଡିଆ ଚଳଚ୍ଚିତ୍ରରେ ସେ ପ୍ଲେବ୍ୟାକ୍ ସିଙ୍ଗର ଭାବେ କଣ୍ଠଦାନ କରିଥିଲେ। ଶ୍ରେଷ୍ଠ ଭଜନ ଓ ଜଣାଣ ଗାୟିକା ଭାବେ ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ। ସେହିପରି ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଓ ଓଡିଶା ଗୀତିକବି ସମ୍ମାନ ସହିତ ଅନେକ ସମ୍ମାନରେ ସମ୍ମାନିତ ହୋଇଥିଲେ। କେବଳ ଓଡିଆ ନୁହେଁ, ହିନ୍ଦୀ, ଗୁଜୁରାଟୀ, ରାଜସ୍ଥାନୀ ଓ ମରାଠୀ ଭାଷାରେ ମଧ୍ୟ ସେ ଗୀତ ଗାଇଥିଲେ। ଭଜନ, ଜଣାଣ, ଛାନ୍ଦ, ଚମ୍ପୁ ଓ ଆଧୁନିକ ଗୀତ ପାଇଁ ସେ ବିଶେଷ ପରିଚିତ ଥିଲେ। ଓଡିଆ ସଙ୍ଗୀତ ଜଗତରେ ତାଙ୍କର ଅବଦାନ ସଦା ସ୍ମରଣୀୟ ରହିବ।