ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ମାମଲା: ଜଷ୍ଟିସ ରଘୁବୀର ଦାସ କମିଶନ ରିପୋର୍ଟ ସାର୍ବଜନୀନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ

କଟକ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ଜଷ୍ଟିସ ରଘୁବୀର ଦାସଙ୍କ ତଦନ୍ତ କମିଶନ ରିପୋର୍ଟକୁ ସାର୍ବଜନୀନ କରିବା ସହ ଆସନ୍ତା ବିଧାନସଭା ବଜେଟ୍ ଅଧିବେଶନରେ ଏହାକୁ ଉପସ୍ଥାପନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କ ରତ୍ନ ଅଳଙ୍କାରର ମଣତି ଗଣତି କାର୍ଯ୍ୟ ଆସନ୍ତା ୩ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ମଧ୍ୟ ହାଇକୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୮ ମସିହାରେ ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ପାଇଁ ଜଷ୍ଟିସ ରଘୁବୀର ଦାସ କମିଶନ ଗଠନ କରାଯାଇଥିଲା। ୨୦୨୩ ମସିହାରେ ଏହି ମାମଲା ସମ୍ବନ୍ଧରେ ଜନସ୍ୱାର୍ଥ ମାମଲା (PIL) ରୁଜୁ ହୋଇଥିଲା। ମୁଖ୍ୟତଃ ତିନୋଟି ପ୍ରସଙ୍ଗକୁ ନେଇ ଏହି ମାମଲା ହୋଇଥିଲା । ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ କମିଶନ ରିପୋର୍ଟ ସାର୍ବଜନୀନ କରାଯିବା, ରତ୍ନ ଅଳଙ୍କାରର ମଣତି ଗଣତି ଓ ରତ୍ନଭଣ୍ଡାରର ମରାମତି କାର୍ଯ୍ୟକୁ ନେଇ ମାମଲା ରୁଜୁ ହୋଇଥିଲା ।

ହାଇକୋର୍ଟ ୧୯୭୮ ମସିହାରେ ହୋଇଥିବା ଶେଷ ଗଣତି ତାଲିକା ସହ ନୂଆ ଗଣତିର ମେଳକ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବ ଶୁଣାଣି ସମୟରେ ଶ୍ରୀମନ୍ଦିର ପ୍ରଶାସନ କୋର୍ଟକୁ ଜଣାଇଥିଲେ ଯେ, ରତ୍ନଭଣ୍ଡାରର ସମସ୍ତ ଅଳଙ୍କାରର ଯାଞ୍ଚ ପାଇଁ SOP (Standard Operating Procedure) ପ୍ରସ୍ତୁତ ହୋଇସାରିଛି। ତେବେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ କମିଶନ ରିପୋର୍ଟ ଏପର୍ଯ୍ୟନ୍ତ କାହିଁକି ସାର୍ବଜନୀନ ହୋଇନାହିଁ, ସେନେଇ କୋର୍ଟ ଉଦବେଗ ପ୍ରକାଶ କରିଥିଲେ ଏବଂ ସରକାରଙ୍କୁ ପ୍ରଶ୍ନ କରିଥିଲେ।