ନୂଆଦିଲ୍ଲୀ: ସୋମବାର ଅପରାହ୍ନରେ ଏନସିପି (ସପା) ମୁଖ୍ୟ ତଥା ପ୍ରବୀଣ ବିରୋଧୀ ନେତା ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ବାରାମତିସ୍ଥିତ ନିଜ ବାସଭବନରୁ ପୁଣେର ଏକ ବେସରକାରି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସ୍ଥାନାନ୍ତର ସମୟରେ ତାଙ୍କ ଝିଅ ତଥା ଏନସିପି ନେତ୍ରୀ ସୁପ୍ରିୟା ସୁଲେ ଓ ପତ୍ନୀ ପ୍ରତିଭା ପାୱାର ତାଙ୍କ ସହିତ ଥିଲେ। କାଶ, ଥଣ୍ଡା ଓ ନିଶ୍ୱାସ ନେବାରେ କଷ୍ଟ ହେବା ଭଳି ଲକ୍ଷଣ ଅନୁଭବ କରିବା ପରେ ୮୫ ବର୍ଷୀୟ ଶରଦ ପାୱାରଙ୍କୁ ପୁଣେର ରୁବି ହଲ୍ କ୍ଲିନିକ୍ ହସ୍ପିଟାଲକୁ ନିଆଯାଇଥିଲା।

ରୁବି ହଲ୍ କ୍ଲିନିକ୍ର ମୁଖ୍ୟ ହୃଦରୋଗ ବିଶେଷଜ୍ଞ ଏବଂ ପରିଚାଳନା ଟ୍ରଷ୍ଟି ଡାକ୍ଟର ପରଭେଜ୍ ଗ୍ରାଣ୍ଟ୍ ଗଣମାଧ୍ୟମକୁ ଏହି ଘଟଣା ନିଶ୍ଚିତ କରି କହିଛନ୍ତି ଯେ, “ହସ୍ପିଟାଲକୁ ଆସିବା ପରେ ଡାକ୍ତରମାନଙ୍କ ଏକ ଟିମ୍ ତାଙ୍କୁ ଯାଞ୍ଚ କରିବେ ଏବଂ ସେହି ଅନୁସାରେ ପରବର୍ତ୍ତୀ ଚିକିତ୍ସା ପଦକ୍ଷେପ ସ୍ଥିର କରାଯିବ।” ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟ ଉପରେ କଡ଼ା ନଜର ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ତାଙ୍କ ଚିକିତ୍ସା ସମ୍ପର୍କରେ ଅଧିକ ବିବରଣୀ ପ୍ରକାଶ କରାଯାଇନାହିଁ।

ଉଲ୍ଲେଖଯୋଗ୍ୟ ଯେ, ପ୍ରବୀଣ ରାଜନେତା ଶରଦ ପାୱାର ପୂର୍ବରୁ ମୁଖ କର୍କଟ ରୋଗରୁ ମଧ୍ୟ ସୁସ୍ଥ ହୋଇଛନ୍ତି। ୧୯୯୦ ଦଶକର ଶେଷ ଭାଗରେ ତାଙ୍କ ଏହି ରୋଗ ଚିହ୍ନଟ ହୋଇଥିଲା। ଏହାର ଚିକିତ୍ସା ପାଇଁ ସେ ଭାରତ ଓ ଆମେରିକାରେ ଅନେକ ଅସ୍ତ୍ରୋପଚାର କରାଇଥିଲେ। ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ସତ୍ତ୍ୱେ ସେ ଦୀର୍ଘ ସମୟ ଧରି ଏକ ସକ୍ରିୟ ସାର୍ବଜନୀନ ଓ ରାଜନୈତିକ ଜୀବନ ଜାରି ରଖିଛନ୍ତି।