ଭୁବନେଶ୍ୱର: ଖଣି ମନ୍ତ୍ରୀ ବିଭୂତି ଜେନା ଏକ ବଡ଼ ରାଜନୈତିକ ନିଷ୍ପତ୍ତି ନେଇଛନ୍ତି। ସେ ଆଉ କୌଣସି ନିର୍ବାଚନ ଲଢ଼ିବେନି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଖଣି ମନ୍ତ୍ରୀଙ୍କ ଏହି ଘୋଷଣା ପରେ ରାଜ୍ୟର ରାଜନୈତିକ ମହଲରେ ବିଭିନ୍ନ ଆଲୋଚନା ଆରମ୍ଭ ହୋଇଛି। ଆଜି ଗଣମାଧ୍ୟମକୁ ସମ୍ବୋଧନ କରି ବିଭୂତି ଜେନା କହିଛନ୍ତି, “ମୁଁ ନିଜେ ଆଉ ନିର୍ବାଚନ ନ ଲଢ଼ି ଯୁବବର୍ଗଙ୍କ ପାଇଁ ବାଟ ଛାଡ଼ିବାକୁ ଚାହୁଁଛି। ମୋର ଆଉ ନିର୍ବାଚନ ଲଢ଼ିବାର କୌଣସି ଇଛା ନାହିଁ।” ସେ କହିଛନ୍ତି ଯେ, ଆସନ୍ତା ବର୍ଷ ତାଙ୍କୁ ୬୦ ବର୍ଷ ବୟସ୍ ହେବ ଏବଂ ଏହି ସମୟରେ ଯୁବକମାନେ ରାଜନୀତିରେ ଆଗକୁ ଆସିବା ଦରକାର।

ଖଣି ମନ୍ତ୍ରୀ କହିଛନ୍ତି ଯେ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଧ୍ୟ ଯୁବକ ଥିବାରୁ ଯୁବବର୍ଗଙ୍କୁ ଦାୟିତ୍ୱ ମିଳିବା ଉଚିତ୍। ତେବେ ସେ ସ୍ପଷ୍ଟ କରିଛନ୍ତି ଯେ, ଦଳ ଛାଡ଼ିବାର କୌଣସି ପ୍ରଶ୍ନ ଉଠେ ନାହିଁ। “ଆଗକୁ ଦଳ ଯେଉଁ ଦାୟିତ୍ୱ ଦେବ, ମୁଁ ସେହି ଦାୟିତ୍ୱକୁ ସୁଚାରୁ ଭାବେ ପାଳନ କରିବି,” ବୋଲି ସେ କହିଛନ୍ତି। ନିର୍ବାଚନ ଲଢ଼ିବେ ନାହିଁ ବୋଲି ସେ ମାନସିକ ଭାବେ ପ୍ରସ୍ତୁତ ହୋଇସାରିଥିବା ମଧ୍ୟ ସୂଚନା ଦେଇଛନ୍ତି। ଖଣି ମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଏବେ ରାଜ୍ୟ ରାଜନୀତିରେ ଏକ ଆଲୋଚିତ ବିଷୟ ପାଲଟିଛି।