ଭୁବନେଶ୍ଵର: ୬ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବରରେ ପହଞ୍ଚିଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରାଜଧାନୀ ସହ ସମଗ୍ର ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।ଆସନ୍ତାକାଲି ଅପରାହ୍ନ ୫ଟାରେ ରାଷ୍ଟ୍ରପତି ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ତାଳବଣିଆ ହେଲିପ୍ୟାଡ୍ରେ ପହଞ୍ଚିବେ। ସେଠାରୁ ସେ ପୁରୀ ଲୋକଭବନ ଯାଇ ରାତ୍ରିଯାପନ କରିବେ।

ଆସନ୍ତା ୪ ତାରିଖରେ ରାଷ୍ଟ୍ରପତି ଶ୍ରୀକ୍ଷେତ୍ରର ଶ୍ୱେତଗଙ୍ଗାରେ ନିଜ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବା ସହ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ବ୍ଲୁ ବୁକ୍ ଅନୁଯାୟୀ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୩୦ ପ୍ଲାଟୁନ୍ରୁ ଅଧିକ ପୁଲିସ ଫୋର୍ସ, ସ୍ୱତନ୍ତ୍ର ୟୁନିଟ୍, ଆଣ୍ଟି-ଡ୍ରୋନ୍ ଟିମ୍, ଆଣ୍ଟି-ସାବୋଟାଇଜ ଟିମ୍ ଓ ବୋମା ନିଷ୍କ୍ରିୟକାରୀ ଦଳ ମୁତୟନ କରାଯାଇଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଥିବା ସମସ୍ତ ହୋଟେଲ ଓ ଲଜିଂ ଯାଞ୍ଚ କରାଯାଇଥିବା ବେଳେ ସହରରେ ବିଶେଷ ରୁଟ୍ ପ୍ଲାନିଂ କରାଯାଇଛି। ଧାର୍ମିକ ଓ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ରାଷ୍ଟ୍ରପତିଙ୍କ ଏହି ପୁରୀ ଗସ୍ତ ଶ୍ରୀକ୍ଷେତ୍ରର ମହତ୍ତ୍ୱକୁ ଅଧିକ ଉଜାଗର କରିବ ବୋଲି ମନାଯାଉଛି।