ଭୁବନେଶ୍ୱର: ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳ ଅଧୀନ ନିୟୁ ଆଜାଦ ନଗରରେ ଏକ ଭୟାବହ ବୋମା ବିସ୍ଫୋରଣ ଘଟି ୫ ଜଣ ଆହତ ହୋଇଛନ୍ତି। ଏୟାରଫିଲ୍ଡ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ସୂଚନା ଅନୁସାରେ, ୫ ମହଲା ବିଶିଷ୍ଟ ଏକ କୋଠାର ଛାତ ଉପରେ ବୋମା ଭିଡ଼ିବା ବେଳେ ହଠାତ୍ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ସେହନବାଜ ମଲିକ, ତାଙ୍କ ମାଆ, ବାନ୍ଧବୀ ଓ ଜଣେ ସାଙ୍ଗ ସହିତ ମୋଟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩ ଜଣ ମହିଳା ରହିଛନ୍ତି।
ଆହତମାନଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ସେଠାରୁ ୪ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଛି। ହସ୍ପିଟାଲ ରେକର୍ଡ ଅନୁସାରେ ଆହତମାନେ ହେଲେ ସାହିଲ ଖାନ୍, ସାହାଜାନ ମଲିକ, ତୃପ୍ତିମୟୀ ବଳ ଓ ସୌମ୍ୟରଞ୍ଜନ ମୁଦୁଲି। ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବା ପରେ ଭୁବନେଶ୍ୱର ଡିସିପି କହିଛନ୍ତି ଯେ, ଅପରାଧିକ କାର୍ଯ୍ୟ ପାଇଁ ବୋମା ତିଆରି କରାଯାଉଥିବା ସମୟରେ ଏହି ବିସ୍ଫୋରଣ ଘଟିଥାଇ ପାରେ। ମୁଖ୍ୟ ଅଭିଯୁକ୍ତ ସେହନବାଜ ମଲିକ ନାଁରେ ନୟାପଲ୍ଲୀ ଓ ମୈତ୍ରିବିହାର ଥାନା ସହିତ କମିଶନରେଟ ପୋଲିସ ଅଞ୍ଚଳରେ ହତ୍ୟା ଉଦ୍ୟମ, ବିସ୍ଫୋରଣ ଓ ଗଣ୍ଡଗୋଳ ସହିତ ୬ରୁ ଅଧିକ ମାମଲା ରହିଛି।ଭଡାରେ ଘର ନେଇ କିପରି ବୋମା ତିଆରି କରାଯାଉଥିଲା, ସେନେଇ ପୋଲିସ ଘରମାଲିକଙ୍କୁ ପଚରାଉଚରା କରୁଛି। ସମଗ୍ର ଘଟଣାକୁ ନେଇ ତଦନ୍ତ ଜୋରଦାର କରାଯାଇଛି।