କଟକ: ପ୍ରାୟ ୧୦ ମାସ ପରେ ଆଜି ବାରବାଟୀରେ ହେବାକୁ ଯାଉଛି ଐତିହାସିକ ଲଢେଇ । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ T20 ମ୍ୟାଚ ଖେଳାଯିବ । ଏଥିପାଇଁ ଏବେ ଉଠୁଛି ପଡ଼ୁଛି କଟକ । ସୁରକ୍ଷା ବ୍ୟବସ୍ଥାଠୁ ଆରମ୍ଭ କରି ଦର୍ଶକଙ୍କ ପାଇଁ ସମସ୍ତ ସୁବିଧା କରିଛି OCA । ଆଜି ସନ୍ଧ୍ୟା ୬ଟା ୩୦ରେ ଟସ୍ ପଡ଼ିବ ଏବଂ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ ମ୍ୟାଚ । ତେବେ ଏସବୁ ଭିତରେ ଆଜି ଆମେ ଆପଣଙ୍କୁ କହିବୁ ବାରବାଟୀରେ ମୋଟ କେତେ ଥର ମ୍ୟାଚ ଖେଳିଛି ଟିମ୍ ଇଣ୍ଡିଆ । ଆଉ ସେଥିରୁ କେତେଟା ଜିତିଛି । ଆସନ୍ତୁ ଜାଣିବା ସେ ବିଷୟରେ ..

ଟିମ୍ ଇଣ୍ଡିଆ ବାରବାଟୀରେ ମୋଟ ୧୮ଟି ଦିନିକିଆ ମ୍ୟାଚ୍ ଖେଳିଥିବା ବେଳେ ସେଥିମଧ୍ୟରୁ ୧୪ଟି ମ୍ୟାଚ୍ ଜିତିଛି । ସେହିଭଳି ୪ଟି ମ୍ୟାଚ୍ରେ ପରାସ୍ତ ହୋଇଛି ଭାରତୀୟ ଦଳ । ୧୯୮୨ ମସିହାରେ ଏଠାରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳିଥିଲା ଭାରତ । ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଏହି ମୁକାବିଲାରେ ଭାରତ ୫ଓ୍ବିକେଟରେ ଜିତିଥିଲା । ସେହିଭଳି ୧୯୮୪, ୧୯୯୪, ୧୯୯୬, ୧୯୯୮, ୨୦୦୦, ୨୦୦୭, ୨୦୦୮, ୨୦୦୯, ୨୦୧୧, ୨୦୧୪, ୨୦୧୭, ୨୦୧୯ ଏବଂ ୨୦୨୫ରେ ବାରବଟୀରେ ଦିନିକିଆ ମ୍ୟାଚ୍ ଜିତିଥିଲା ଭାରତ ।

ସେହିପରି ଭାରତ ୨ ଥର ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ଗୋଟିଏ ବିଜୟୀ ହୋଇଛି ଏବଂ ଅନ୍ୟଟି ଡ୍ର ରହିଥିଲା । ଟିମ୍ ଇଣ୍ଡିଆ ୧୯୮୭ ମସିହାରେ ଏଠାରେ ପ୍ରଥମ ମ୍ୟାଚ ଖେଳି ଶ୍ରୀଲଙ୍କାକୁ ଏକ ଇନିଂସ ଏବଂ ୬୭ ରନ୍ରେ ହରାଇ ବଡ଼ ବିଜୟ ହାସଲ କରିଥିଲା । ପରେ ୧୯୯୫ରେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ଡ୍ର ଭାବେ ଶେଷ ହୋଇଥିଲା । ସେହିଭଳି ବାରବାଟୀରେ ମୋଟ ୩ଟି T20 ମ୍ୟାଚ୍ ଖେଳିଛି ଭାରତ । ଯେଉଁଥିରେ ଗୋଟିଏ ଜିତିଥିବା ବେଳେ ଆଉ ଦୁଇଟି ମ୍ୟାଚ୍ ହାରିଛି । ୨୦୧୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୬ ଓ୍ବିକେଟରେ ହାରିଥିଲା ଭାରତ । ପରେ ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ୯୩ ରନରେ ଜିତିଥିଲା । ସେହିଭଳି ୨୦୨୨ରେ ଦକ୍ଷିଣ ଆଫ୍ରିକା ଠାରୁ ୪ ଓ୍ବିକେଟରେ ହାରିଥିଲା ।