ଭୁବନେଶ୍ଵର: ପରଲୋକରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଭୁବନେଶ୍ଵରସ୍ଥିତ ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ହ୍ୟମାନଙ୍କ ପରଲୋକ । ମୃତ୍ୟୁ ବେଳକୁ ହ୍ୟୁମାନଙ୍କୁ ୩୬ ବର୍ଷ ବୟସ ହୋଇଥିଲା । ଏକାଧିକ ଅଙ୍ଗପ୍ରତ୍ୟଙ୍ଗ ଅଚଳ ଯୋଗୁ ତାଙ୍କ ଜୀବନ ରକ୍ଷା କରିବା ଡାକ୍ତରଙ୍କ ପକ୍ଷେ ସମ୍ଭବ ହେଲା ନାହିଁ। ହ୍ୟୁମାନଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ସଙ୍ଗୀତ ଦୁନିଆରେ ଏହା ଏକ ଅପୂରଣୀୟ କ୍ଷତି ବୋଲି ସଙ୍ଗୀତପ୍ରେମୀ ମତ ଦେଇଛନ୍ତି।

ଖବର ଅନୁଯାୟୀ, ହ୍ୟୁମାନ ସାଗରଙ୍କ ଲିଭର୍ ଖରାପ ଥିବା ବେଳେ, କିଡନି ଗୁରୁତର ଭାବେ ପ୍ରଭାବିତ ହୋଇଛି । ସେ କିଛି ସପ୍ତାହ ହେଲା କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଶୁକ୍ରବାର ଦିନ ଏମ୍ସ ସ୍ଥାନାନ୍ତର କରାଯାଇଛି । ଗତ ୨୪ ଘଣ୍ଟାରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଆସିନାହିଁ । ଆଗାମୀ ୭୨ ଘଣ୍ଟା ହ୍ୟୁମାନଙ୍କ ପାଇଁ ଅତି ଗୁରୁତ୍ଵପୂର୍ଣ୍ଣ ବୋଲି ଡାକ୍ତର କହିଥିଲେ । ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ହ୍ୟୁମାନ ସାଗର ।