Nuapada By-Election: ଆସନ୍ତାକାଲି ନୂଆପଡ଼ା ଉପନିର୍ବାଚନର ଭୋଟ ଗଣତି ହେବ , ଏନେଇ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ନୂଆପଡ଼ା କାଉଣ୍ଟିଂ ପୂର୍ବରୁ ଷ୍ଟ୍ରଙ୍ଗ୍ରୁମ୍ ସୁରକ୍ଷା ନେଇ SPଙ୍କ ସମୀକ୍ଷା । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଷ୍ଟ୍ରଙ୍ଗ୍ ରୁମ, ବାହାରେ ବି କଡ଼ା ସୁରକ୍ଷା ବ୍ୟବସ୍ଥା । ଦୁଇ କମ୍ପାନୀ କେନ୍ଦ୍ରୀୟ ବଳ ମୁତୟନ ହୋଇଛନ୍ତି । ଅଧିକୃତ ଓ ପ୍ରବେଶ ଅନୁମତି ପାଇଥିବା ବ୍ୟକ୍ତି ହିଁ ପ୍ରବେଶ କରି ପାରିବେ । ଭିତରକୁ ପ୍ରବେଶ ପୂର୍ବରୁ ୩ଟି ଜାଗାରେ ଚେକିଂ ହେବ । ଆବଶ୍ୟକ ପଡ଼ିଲେ ସୁରକ୍ଷା କର୍ମୀ ବଢ଼ାଯିବ ।

ସେପଟେ ଭୋଟ ଗଣତି ପ୍ରକ୍ରିୟାକୁ ସ୍ବଚ୍ଛ, ସୁସ୍ଥ ଓ ପାରଦର୍ଶୀ ଭାବରେ କରିବାକୁ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମୋଟ ୧୪ ଗୋଟି ଟେବୁଲ୍ ରହିଥିବା ବେଳେ ୨୬ ରାଉଣ୍ଡ ଗଣତି ହେବ । ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲଟ୍ ଗଣତି, ଅଧା ଘଣ୍ଟା ପରେ ଇଭିଏମ ଗଣତି ହେବ । ପ୍ରତ୍ୟେକ ଟେବୁଲ୍ ରେ ଜଣେ ଗଣତି ସହକାରୀ ଅଧିକାରୀ, ଗଣତି ସୂପରଭାଇଜର ଏବଂ ମାଇକ୍ରୋ ଅବଜର୍ଭର୍ ନିୟୋଜିତ ରହିବେ । ଜନସାଧାରଣଙ୍କ ପାଇଁ ମଧ୍ୟ ଡ଼ାକବାଜି ସାହାଯ୍ୟରେ ଘୋଷଣା କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସମସ୍ତ ଗଣନା ପ୍ରକ୍ରିୟା ସିସିଟିଭି ନଜରରେ କରାଯିବ ଓ ଏସବୁର ଭିଡିଓ ରେକର୍ଡିଂ ହେବ l ଏହାର ତଦାରଖ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ, ଜିଲ୍ଲା ନିର୍ବାଚନ ଅଧିକାରୀ ଓ ପୋଲିସ ପ୍ରଶାସନ ଉପସ୍ଥିତ ରହିବେ l ଅନ୍ତିମ ରାଉଣ୍ଡ ଶେଷ ହେବା ପରେ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ବିଜେତା ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ।