ଭୁବନେଶ୍ଵର: ହଠାତ୍ ବଦଳିଲା ପାଗ । କୋରାପୁଟରେ ଆରମ୍ଭ ହେଲାଣି ସମ୍ଭାବ୍ୟ ବାତ୍ୟାର ଲକ୍ଷଣ । ପ୍ରବଳ ବର୍ଷା ସାଙ୍ଗକୁ ବୋହୁଛି ପବନ । ଏବେ ଜାରି ରହିଛି ନନଷ୍ଟପ୍ ବର୍ଷା । ୨୮ ଓ ୨୯ ତାରିଖ ରାତିରେ ଲ୍ୟାଣ୍ଡଫଲ କରିବ ବାତ୍ୟା ମୋନ୍ଥା । ଏହାପରେ ମାଲକାନଗିରି ଜିଲ୍ଲା ଦେଇ ଅତିକ୍ରମ କରିବା ନେଇ ସମ୍ଭାବନା ରହିଛି । ଫଳରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହେବ । ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାନେଇ ସମ୍ଭାବନା ରହିଛି ।

ଅନ୍ୟପଟେ ଜଳଭଣ୍ଡାର ସ୍ଥିତି ନେଇ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ନେଇ ବୈଠକ ବସିଥିଲା । ବାତ୍ୟାର ସମ୍ଭାବ୍ୟ ସ୍ଥିତି ଦେଖି ଜଳଭଣ୍ଡାର ଉପରେ ନଜର ରଖାଯାଇଛି । ଆବଶ୍ୟକ ସ୍ଥଳେ ଜଳଭଣ୍ଡାରରୁ ଜଳ ନିଷ୍କାସନ ହେବ । ଗଜପତି ଜିଲ୍ଲାର ହରଭଂଗୀ ଜଳଭଣ୍ଡାର ଓ ରାୟଗଡା ଜିଲ୍ଲାର ବଡ଼ନଳାର ଜଳଧାରଣକୁ ଖସାଇ ୯୦ ପ୍ରତିଶତକୁ ଅଣାଯାଇଛି । ଆବଶ୍ୟକ ପଡିଲେ ଆହୁରି ଖାଲି ହେବ । ପ୍ରଭାବିତ ଆଶଙ୍କା କରାଯାଉଥିବା ଜିଲ୍ଲାରେ ସରକାରୀ ଅଧିକାରୀଙ୍କ ଛୁଟି ୩୦ ତାରିଖ ଯାଏଁ ବାତିଲ କରାଯାଇଛି । ଜଳଭଣ୍ଡାର ସ୍ଥିତି ନେଇ ପୁଣି ସମୀକ୍ଷା ହେବ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ।

କିଛି ଘଣ୍ଟାରେ ବାତ୍ୟାରେ ପରିଣତ ହେବ ଗଭୀର ଅବପାତ । ୨୮ ତାରିଖ ସନ୍ଧ୍ୟାରୁ ରାତି ମଧ୍ୟରେ ‘ମୋନ୍ଥା’ ଛୁଇଁବ ଆନ୍ଧ୍ର ଉପକୂଳ । ମଛଲିପଟନମ୍ରୁ କଳିଙ୍ଗପଟନମ୍ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କାକିନାଡ଼ାର ସାମାନ୍ୟ ଉତ୍ତରରେ ଲ୍ୟାଣ୍ଡଫଲ୍ ବେଳେ ପବନ ବେଗ ୯୦ରୁ ୧୦୦ କିଲୋମିଟର ରହିବ । ତେବେ ସମ୍ଭାବ୍ୟ ‘ମୋନ୍ଥା’ ଓଡ଼ିଶାରେ ମାଡ଼ ହେବନି । ରାଜ୍ୟରେ ବଡ଼ କ୍ଷତି ମଧ୍ୟ ପହଞ୍ଚାଇବ ନାହିଁ । ତଥାପି ଦକ୍ଷିଣ ଓ ଉପକୂଳ ଓଡ଼ିଶା ବେଶୀ ପ୍ରଭାବିତ ହୋଇପାରେ ।