ନୂଆଦିଲ୍ଲୀ: ଡକ୍ଟର ଏପିଜେ ଅବଦୁଲ କଲାମ। ଭାରତର ଜଣେ ଏମିତି ବ୍ୟକ୍ତିତ୍ୱ ଯାହାକୁ ପୂରା ବିଶ୍ୱ ମିସାଇଲ ମ୍ୟାନ ଭାବେ ଜାଣିଛି। ତାଙ୍କ ସୁବିଚାର ଆଜିବି ଅନେକଙ୍କୁ ପ୍ରେରଣା ଯୋଗାଉଛି। ଜୀବନକୁ ନେଇ ସେ ଦେଇଥିବା ଅନେକ ସୁବିଚାର ବିଭିନ୍ନ ସ୍କୁଲ ଓ କଲେଜ କାନ୍ଥରେ ଲଗାଯାଉଛି। ଯାହାକୁ ଦେଖି ଛାତ୍ର ସମାଜ ପ୍ରେରିତ ହେଉଛନ୍ତି ।

୧୯୩୧, ଅକ୍ଟୋବର ୧୫ରେ ତାମିଲନାଡୁରେ ଜନ୍ମ ହୋଇଥିଲେ କଲାମ। ସେ ତିରୁଚିରପଲ୍ଲୀର ସେଣ୍ଟ ଜୋସେଫ୍ କଲେଜରୁ ପଦାର୍ଥ ବିଜ୍ଞାନ ଓ ଚେନ୍ନାଇର ମାଦ୍ରାସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଅନ୍ତରୀକ୍ଷ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ। ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ସେ ଭାରତର ୧୧ତମ ରାଷ୍ଟ୍ରପତି ଥିଲେ। ଦେଶର ରାଷ୍ଟ୍ରପତି ହେବା ପୂର୍ବରୁ ସେ ଡି.ଆର୍.ଡି.ଓ ଏବଂ ଇସ୍ରୋରେ ଅନ୍ତରୀକ୍ଷ ଇଂଜିନିୟର ଥିଲେ। ସେ ଭାରତର ପ୍ରଥମ ସାଟେଲାଇଟ୍ ଲଞ୍ଚର ଭେଇକିଲ (ଏସଏଲଭି-୩) ପ୍ରୋଜେକ୍ଟର ନିର୍ଦ୍ଦେଶକ ଥିଲେ । ୧୯୯୮ ପେଖରାନ୍ -୨ ପରମାଣୁ ବୋମା ପରୀକ୍ଷଣରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୧୯୭୪ ପରେ ଏହା ଥିଲା ଭାରତର ଦ୍ୱିତୀୟ ପରମାଣୁ ବୋମା ପରୀକ୍ଷଣ । ବିଜ୍ଞାନ, ଅନୁସନ୍ଧାନ କ୍ଷେତ୍ରରେ ଅବଦୁଲ କଲାମଙ୍କଯୋଗଦାନ ପାଇଁ ତାଙ୍କୁ ‘ ଭାରତର ମିଶାଇଲ ମ୍ୟାନ୍’ ବୋଲି କୁହାଯାଏ ।

କାଲାମ ତାଙ୍କ ଜୀବନ କାଳରେ ଅନେକ ପୁସ୍ତକ ମଧ୍ୟ ଲେଖିଛନ୍ତି। ମହାକାଶ ବିଜ୍ଞାନ ଏବଂ ପ୍ରତିରକ୍ଷା ବିଜ୍ଞାନରେ ଅତୁଳନୀୟ ଅବଦାନ ପାଇଁ ୧୯୯୭ ମସିହାରେ କଲାମଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନିତ କରାଯାଇଥିଲା। ଏହାପୂର୍ବରୁ ୧୯୮୧ରେ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରିଥିଲେ। ୧୯୯୦ରେ ତାଙ୍କୁ ପ୍ରଦାନ କରାଯାଇଥିଲା ପଦ୍ମ ବିଭୂଷଣ। କଲାମଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ଓଡ଼ିଶାର ଧାମରାରେ ଥିବା ହ୍ୱିଲର ଦ୍ୱୀପକୁ ବିଧିବଦ୍ଧ ଭାବେ ଅବଦୁଲ କାଲାମ ଦ୍ୱୀପ ଘୋଷଣା କରାଯାଇଥିଲା। ୨୭ ଜୁଲାଇ ୨୦୧୫ ମେଘାଳୟର ଶିଲଂରେ ଏକ ସଭାରେ ଭାଷଣ ଦେବା ସମୟରେ ହୃଦଘାତ ଯୋଗୁଁ କଲାମଙ୍କ ନିଧନ ହୋଇଥିଲା