ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ୭ ଜଣଙ୍କୁ ଅଟକ ରଖିଛି ପୋଲିସ । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ସିଆରପିଏଫ୍ ଯବାନ ଓ ଜଣେ ଅଷ୍ଟମ ବାଟାଲିୟନର ଜବାନ ଥିବା ସୂଚନା ମିଳିଛି । ସମସ୍ତଙ୍କୁ ଆମ୍ବପୁଆରେ ଥିବା ରିଜର୍ଭ ପୋଲିସ ବାରାକରେ ଜେରା କରାଯାଉଥିବାର ସୂଚନା ମିଳିଛି । ଅଟକ ଥିବା ଯୁବକମାନେ ଦିଗପହଣ୍ଡି, ହିଞ୍ଜିଳି ଓ ପିତଳ ଅଞ୍ଚଳର ହୋଇଥିବା ଜଣାପଡ଼ିଛି । ଏଥି ସହିତ ପୋଲିସ ଦ୍ୱାରା ୨ଟି ଦାମୀ କାର ଜବତ କରାଯାଇଛି ।

୪ ଦିନ ତଳେ ଅର୍ଥାତ ୪ତାରିଖ ଦିନ ରାତିରେ ଘରକୁ ଫେରୁଥିବା ବେଳେ ପୀତବାସ ପଣ୍ଡାଙ୍କୁ ପଏଣ୍ଟ୍ ବ୍ଲାଙ୍କରେ ଗୁଳି କରି ଚମ୍ପଟ ମାରିଥିଲେ ୨ ଜଣ ଦୁର୍ବୃତ୍ତ । ରାତି ପ୍ରାୟ ୧୦ଟା ବେଳେ ଗିରି ମାର୍କେଟରେ ଥିବା ତାଙ୍କ ଚାମ୍ଵରରୁ ବୈକୁଣ୍ଠନଗରରେ ଥିବା ଘରକୁ ଫେରୁଥିବା ବେଳେ ଘରଠୁ ମାତ୍ର ଶହେ ମିଟର ଦୂରରେ ଘଟିଥିଲା ଏହି ଗୁଳିକାଣ୍ଡ । ଦୁର୍ବୃତ୍ତ ମାନେ ପୀତବାସଙ୍କ ଡାହାଣ ଛାତିକୁ ଗୁଳି ମାଡ଼ କରିଥିଲେ । ଗୁଳି ଛାତିକୁ ଭେଦି ମେରୁଦଣ୍ଡ ପାଖରେ ଅଟକିଥିଲା ।

ପୀତବାସଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି । ଘଟଣାରେ ପୋଲିସ ୬ଟି ସ୍ଵତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଏହି ଘଟଣାରେ ପୋଲିସ ୭ ଜଣଙ୍କୁ ଅଟକ ରଖିଛି । ଅନ୍ୟପକ୍ଷେ ହତ୍ୟାକାଣ୍ଡର ପ୍ରାୟ ୪ ଦିନ ପରେ ବି ଏଯାଏଁ ଅପରାଧୀଙ୍କ ଟେର ପାଇନି ପୋଲିସ । ଘଟଣାକୁ ନେଇ ନେଇ ଆଇନଜୀବୀମାନେ କଲମ ଛାଡ ଆନ୍ଦୋଳନ କରିଥିଲେ ।