କଣ୍ଠଶିଳ୍ପୀ ଜୁବିନ ଗର୍ଗ ମୃତ୍ୟୁ ମାମଲା, ୨ ଗିରଫ

ଗୌହାଟୀ: ପ୍ରସିଦ୍ଧ ଆସାମୀ କଣ୍ଠଶିଳ୍ପୀ ଜୁବିନ ଗର୍ଗ ମୃତ୍ୟୁ ମାମଲାରେ ୨ ଗିରଫ । ଶ୍ୟାମକାନୁ ମହାନ୍ତ ଓ ସିଦ୍ଧାର୍ଥ ଶର୍ମାଙ୍କୁ ଗିରଫ କଲା ଆସାମ ପୋଲିସ । ସିଙ୍ଗାପୁରରେ ଗିରଫ ପରେ ଉଭୟଙ୍କୁ ଗୌହାଟୀ ଅଣାଗଲା । ସେପ୍ଟେମ୍ବର ୧୯ରେ ସିଙ୍ଗାପୁରରେ ଜୁବିନ ଗର୍ଗଙ୍କ ମୃତ୍ୟୁ ହୋଇଥିଲା । ନର୍ଥ ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲ୍‌ରେ ଯୋଗଦେବାକୁ ଯାଇଥିବା ବେଳେ ମୃତ୍ୟୁ ହୋଇଥିଲା । ନର୍ଥ ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲ୍‌ର ମୁଖ୍ୟ ଆୟୋଜକ ଥିଲେ ଶ୍ୟାମକାନୁ ମହାନ୍ତ । ସେପଟେ ଜୁବିନ ଗର୍ଗଙ୍କ ମ୍ୟାନେଜର ଥିଲେ ସିଦ୍ଧାର୍ଥ ଶର୍ମା ।

ତେବେ ଗତ ସେପ୍ଟେମ୍ବର ୧୯ ତାରିଖରେ ସ୍କୁବା ଡ୍ରାଇଭିଂ କରୁଥିବା ବେଳେ ଜୁବିନଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା । ସିଙ୍ଗାପୁରରେ ପୋଷ୍ଟମର୍ଟମ୍ କରାଯାଇଥିଲା, ଯେଉଁଥିରେ ପାଣିରେ ବୁଡ଼ି ଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଥିଲା । କିନ୍ତୁ ତାଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠିବା ପରେ, ଜୁବିନଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମା ଏବଂ ତାଙ୍କ ସହଯୋଗୀ ଶେଖର ଗୋସ୍ୱାମୀଙ୍କ ଉପରେ ଆଙ୍ଗୁଠି ଉଠିଥିଲା । ପୋଲିସରେ ସେମାନଙ୍କ ବିରୋଧରେ ଅନେକ ଅଭିଯୋଗ ଦାଖଲ କରିଥିଲା । ଏପରିକି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ନିଜେ ଏହି ସମ୍ପର୍କରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପଟେ ଜୁବିନ ଗର୍ଗଙ୍କ ପତ୍ନୀ ଗରିମା ଗର୍ଗ ପରବର୍ତ୍ତୀ ସମୟରେ ସିଦ୍ଧାର୍ଥଙ୍କ ପକ୍ଷରେ ଏକ ବିବୃତ୍ତି ଜାରି କରି କହିଥିଲେ ଯେ ସେ ସର୍ବଦା ଜୁବିନଙ୍କ ଭାଇ ପରି ଥିଲେ। ତାଙ୍କୁ ଜୁବିନଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାରୁ ବାରଣ କରାଯିବା ଉଚିତ୍ ନୁହେଁ।