ଖୂସିଖବର: ଭେଣ୍ଟିଲେଟର୍‌ରୁ ବାହାରିଲେ ମେଲୋଡି କିଙ୍ଗ୍ ଅଭିଜିତ ମଜୁମଦାର

ଭୁବନେଶ୍ଵର: ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଭେଣ୍ଟିଲେଟର୍‌ରୁ ବାହାରକୁ ଆସିଲେ ମେଲୋଡି କିଙ୍ଗ୍‌ ଅଭିଜିତ ମଜୁମଦାର । ଆଇସିୟୁ ବେଡ୍‌ରେ ଚାଲିଛି ଅଭିଜିତଙ୍କ ଚିକିତ୍ସା । ପୂର୍ବରୁ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ଏବେ ସେଥିରେ ସୁଧାର ଆସିଛି ।

ସୂଚନାଯୋଗ୍ୟ, ଲିଭର ଜନିତ ରୋଗରେ ଗତ କିଛି ମାସ ହେବ ପୀଡ଼ିତ ଅଛନ୍ତି ଅଭିଜିତ ମଜୁମଦାର । ଅଭିଜିତଙ୍କୁ ପ୍ରଥମେ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଗତ ୩୧ ତାରିଖ ଦିନ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କ ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଦେଖାନଯିବାରୁ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଏମ୍ସରେ ଆଡମିଟ୍ ହେଉ ହେଉ ଦାଦାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ବୋଲି ଏମ୍ସ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ଭେଣ୍ଟିଲେଟର ସପୋର୍ଟ ସିଷ୍ଟମରେ ଜୀବନ ସହ ସଂଗ୍ରାମ ଜାରି ରଖିଥିଲେ ଅଭିଜିତ୍ । ଏବେ କିନ୍ତୁ ସ୍ଥିତିରେ କିଛି ମାତ୍ରାରେ ସୁଧାର ଆସିଛି । ଭେଣ୍ଟିଲେଟରରୁ ବାହାରିଛନ୍ତି ମେଲୋଡି କିଙ୍ଗ୍ ଅଭିଜିତ ମଜୁମଦାର ।