ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରୁ ବଡ଼ ମେଡିକାଲ୍ରେ ବିଦ୍ୟୁତ୍ ବିଭ୍ରାଟ । ମୋବାଇଲ୍ ଆଉ ଟର୍ଚ୍ଚ ଲାଇଟ୍ରେ ହେଲା ରୋଗୀ ଚିକିତ୍ସା । ଘଣ୍ଟାଏ କି ଦୁଇ ଘଣ୍ଟା ନୁହେଁ ତିନି ଘଣ୍ଟା ଧରି ହେଲା ରୋଗୀ ଚିକିତ୍ସା । ଏମ୍କେସିଜି ମେଡିକାଲର ସୁପର୍ ସ୍ପେସିଆଲିଷ୍ଟ କୋଠାରେ ନଥିଲା ବିଦ୍ୟୁତ୍ । ରାତିର ଘନ ଅନ୍ଧକାର ଓ ଗରମ ଗୁଳୁଗୁଳିରେ ସନ୍ତୁଳି ହୋଇଥିଲେ ରୋଗୀ । ମେଡିକାଲ କୋଠାରେ ବିଦ୍ୟୁତକୁ ସଂଯୋଗ ହୋଇଥିବା ପ୍ୟାନେଲ ବୋର୍ଡ ଅଚଳରୁ ପ୍ରାୟ ତିନି ଘଣ୍ଟା ଧରି କୋଠା ଅନ୍ଧାର ହୋଇ ରହିଥିଲା । ଫଳରେ ରୋଗୀଙ୍କ ଚିକିତ୍ସା ଓ ସେବାରେ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥିଲା । ଡାକ୍ତର ଓ ନର୍ସ ଟର୍ଚ୍ଚ ମୋବାଇଲ୍ ଲାଇଟ୍ରେ ରୋଗୀ ଦେଖିଥିବା ବେଳେ କୌଣସି ଅସ୍ତ୍ରୋପଚାର ହୋଇ ପାରି ନଥିଲା । ବିଦ୍ୟୁତ୍ ନଥିବାରୁ ପାଣି ଅଭାବ ଦେଖା ଦେଇଥିଲା । ପ୍ରଭାବିତ ହୋଇଥିଲା ଇଏନ୍ଟି, ଅସ୍ଥିଶଲ୍ୟ, ସର୍ଜରୀ, ନିଶ୍ଚେତକ ବିଭାଗ ଓ ଜରୁରୀକାଳୀନ ଅସ୍ତ୍ରୋପଚାର । ଏସବୁ ୱାର୍ଡରେ ଥିବା ଶତାଧିକ ରୋଗୀ ଅନ୍ଧାରରେ ରହିଥିଲେ । ଖବର ପାଇ ବିଦ୍ୟୁତ୍ ବିଭାଗର ଅଧିକାରୀ ଓ ଟାଟା ପାୱାର କର୍ମଚାରୀ ବିଭ୍ରାଟ ଖୋଜିଥିଲେ । ଜିଇଡିର ଅଧିକାରୀମାନେ ଯାଞ୍ଚ କରିବା ପରେ ଟ୍ରାନ୍ସଫର୍ମର ନିକଟରେ ଥିବା ପ୍ୟାନେଲ ବୋର୍ଡରେ ତ୍ରୁଟି ରହିଥିବା ଜଣା ପଡ଼ିଥିଲା । ଏହାପରେ ପ୍ୟାନେଲ୍ ବୋର୍ଡ ମରାମତି କରାଯିବା ସହ ସୁପର୍ ସ୍ପେସିଆଲିଷ୍ଟ କୋଠାକୁ ବିଦ୍ୟୁତ୍ ସଂଯୋଗ ବ୍ୟବସ୍ଥା କରାଯାଇଥିଲା ।
