ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଆଜି ୬ ଘଣ୍ଟିଆ ପୁରୀ ବନ୍ଦ

ପୁରୀ: ଆଜି ୬ ଘଣ୍ଟିଆ ପୁରୀ ବନ୍ଦ । ବଳଙ୍ଗା ପୀଡିତାଙ୍କୁ ନ୍ୟାୟ ଦେବା ଦାବିରେ ୬ ଘଣ୍ଟିଆ ପୁରୀ ବନ୍ଦ ଡାକରା ଦେଇଛି ବିଜେଡି । ସକାଳ ୬ଟାରୁ ଦିନ ୧୨ଟା ଯାଏଁ ବନ୍ଦ ପାଳନ କରିବ ବିଜୁ ଜନତା ଦଳ । ବନ୍ଦ ପାଳନ ବେଳେ ଜରୁରୀକାଳିନ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବା ବନ୍ଦ ରହିବ । ତେବେ ବଳଙ୍ଗା ଘଟଣାରେ ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇବା ସହ ସରକାର ଘଟଣାର ସତ୍ୟ ଉନ୍ମୋଚନ କରନ୍ତୁ ବୋଲି ଦାବି କରିଛି ବିଜୁ ଜନତା ଦଳ । ଏହା ସହ ଜାଣିଶୁଣି ଦୋଷୀକୁ ଚିହ୍ନଟ କରୁନଥିବା ଅଭିଯୋଗ କରିଛି ବିଜେଡ଼ି। ତୁରନ୍ତ ସତ୍ୟତା ସାମ୍ନାକୁ ନ ଆସିଲେ ବିଜେଡ଼ି ଆନ୍ଦୋଳନ ଜାରି ରଖିବ ବୋଲି ମଧ୍ୟ କହିଛି । କହିରଖୁଛୁ ଯେ, ଗତ ଜୁଲାଇ ୧୯ତାରିଖରେ ବଳଙ୍ଗା ପୀଡ଼ିତାଙ୍କ ଦେହରେ ନିଆଁ ଲାଗିଥିବାବେଳେ ଅଗଷ୍ଟ ୨ତାରିଖରେ ଦିଲ୍ଲୀ ଏମସରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲା । ୩ତାରିଖ ବିଳମ୍ବିତ ରାତିରେ ପୈତୃକ ଗାଁରେ ପୀଡିତାଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ପରଦିନ ଇସଲାମ୍ ରୀତିନୀତିରେ କବର ଦିଆଯାଇଥିଲା । ସେପଟେ ଉକ୍ତ ଘଟଣାରେ କୌଣସି ଅଭିଯୁକ୍ତ ଗିରଫ ହୋଇନଥିବାବେଳେ ପୀଡ଼ିତାଙ୍କ ମୃତ୍ୟୁ ଖବର ପରେ ପୁଲିସ ତଦନ୍ତରେ କାହାର ସମ୍ପୃକ୍ତି ନଥିବା କହି ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲା ।