ଭୁବନେଶ୍ଵର: ଦୀର୍ଘ ୧୫ ଦିନର ପ୍ରଚେଷ୍ଟା ପରେ ଶେଷରେ ଜୀବନ ଯୁଦ୍ଧରେ ହାରି ଗଲେ ବଳଙ୍ଗା ପୀଡିତା । ଦିଲ୍ଲୀ ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ପୀଡିତାଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ପୀଡିତାଙ୍କ ପାଇଁ ସତେ ଅଶୁଭ ସାଜିଲା ଶନିବାର । ଯେଉଁ ଶନିବାର ଦୁର୍ଘଟଣାର ଶିକାର ହୋଇଥିଲେ ସେହି ଶନିବାରରେ ଶେଷରେ ସେ ତାଙ୍କର ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ଜୁଲାଇ ୧୯ରେ ପୀଡ଼ିତାଙ୍କୁ ଜାଳିଥିଲେ ଦୁର୍ବୃତ୍ତ । ଭୁବନେଶ୍ୱରରୁ ଦିଲ୍ଲୀ ଏମ୍ସକୁ ହୋଇଥିଲେ ଏୟାର ଲିଫ୍ଟ । ଘଟଣାରେ ତଦନ୍ତ ଜାରି ରହିଥିଲା । ସରକାରଙ୍କ ସମସ୍ତ ପ୍ରୟାସ ଓ ଦିଲ୍ଲୀ ମେଡିକାଲର ବିଶେଷଜ୍ଞଙ୍କ ଆପ୍ରାଣ ଉଦ୍ୟମ ସତ୍ତ୍ୱେ ଆଜି ଆଖି ବୁଝିଛନ୍ତି ବଳଙ୍ଗା ପୀଡିତା । ସେପଟେ ବଳଙ୍ଗ ପୀଡିତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନ୍ୟ ନେତା ମନ୍ତ୍ରୀ ।
ତେବେ ୧୯ ଜୁଲାଇରେ ସ୍ପଷ୍ଟ ଦିବାଲୋକରେ ୩ ଜଣ ଦୁର୍ବୃତ୍ତ ବଳଙ୍ଗା ଅଞ୍ଚଳରେ ପୀଡିତାଙ୍କୁ ପେଟ୍ରୋଲ ପକାଇ ଜାଳିଦେଇଥିଲେ । ପୀଡିତା ତାଙ୍କ ସାଙ୍ଗ ଘରୁ ଫେରୁଥିବା ବେଳେ ଏକ ନିଛାଟିଆ ସ୍ଥାନ ପାଇ, ଆକ୍ରମଣକାରୀମାନେ ନାବାଳିକାକୁ ଟେକି ନେଇଥିଲେ ଏବଂ ତାଙ୍କ ଉପରେ ପେଟ୍ରୋଲ ଢାଳି ହତ୍ୟା କରିବାକୁ ଚେଷ୍ଟା କରିଥିଲେ । କିଛି ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ପିପିଲି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପରେ ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯିବା ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା। ନାବାଳିକାର ଶରୀର ୭୫ ପ୍ରତିଶତ ପୋଡ଼ି ଯାଇଥିବାରୁ ତାଙ୍କୁ ଜୁଲାଇ ୨୨ ତାରିଖ ଦିନ ଏମ୍ସ ଦିଲ୍ଲୀକୁ ସ୍ଥାନାନ୍ତରିତ କରାଯାଇଥିଲା। ଏଥି ପାଇଁ ଏମ୍ସ ଭୁବନେଶ୍ବରରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ କରିଡ଼ର କରାଯାଇଥିଲା। ଏହି ସମ୍ବେଦନଶୀଳ ଘଟଣା ନେଇ ରାଜ୍ୟ ସରକାର ଖୁବ ତତ୍ପରତା ପ୍ରକାଶ କରିଥିଲେ।