ଗୁରୁତର ଅଛନ୍ତି ପୁରୀ ବଳଙ୍ଗା ପୀଡ଼ିତା, ଏମ୍ସରେ ଚାଲିଛି ଚିକିତ୍ସା

ଭୁବନେଶ୍ଵର: ଗୁରୁତର ଅଛି ପୁରୀ ବଳଙ୍ଗା ପୀଡ଼ିତାଙ୍କ ଅବସ୍ଥା । ଏନେଇ ସୂଚନା ଦେଇଛନ୍ତି AIIMS ନିର୍ଦ୍ଦେଶକ । ଆସନ୍ତା ୪୮ ଘଣ୍ଟା ପୀଡିତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ, ଏହା ପରେ କିଛି କହି ହେବ । ବର୍ତ୍ତମାନ ଛାତ୍ରୀ ଜଣଙ୍କ ଭେଣ୍ଟିଲେଟରରେ ନାହାନ୍ତି, ICUରେ ଅକ୍ସିଜେନ୍‌ ସପୋର୍ଟରେ ଅଛନ୍ତି । ୭୫ ପ୍ରତିଶତ ଶରୀର ପୋଡ଼ିଯାଇଛି, ୨୦/୨୫ ପ୍ରତିଶତ ଛାଡ଼ି ସବୁ ପୋଡ଼ିଛି । ଏହା ହେଉଛି ସେକେଣ୍ଡ ଓ ଥାର୍ଡ ଡିଗ୍ରୀ ବର୍ଣ୍ଣ । ତେବେ ପୀଡ଼ିତା ଜଣଙ୍କ ଏବେ କଥାବାର୍ତ୍ତା କରୁଛନ୍ତି, ମାନସିକ ଅବସାଦ ରହିଛି । ରକ୍ତଚାପ ମଧ୍ୟ କମ୍‌ ରହିଛି । ଏପରି ପରିସ୍ଥିତିରେ ଏୟାରଲିଫ୍ଚ କରିବା ସମ୍ଭବପର ନୁହେଁ । ତେଣୁ ଆସନ୍ତା ୪୮ ଘଣ୍ଟା ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ଏମ୍ସ ନିର୍ଦ୍ଦେଶକ । ଅନ୍ୟପଟେ ମାଜିଷ୍ଟ୍ରେଟ୍‌ଙ୍କ ସାମ୍ନାରେ ବୟାନ ମଧ୍ୟ ଦେଇଛନ୍ତି ପୀଡ଼ିତା । ନାବାଳିକା ଜଣଙ୍କ ସାଙ୍ଗ ଘରକୁ ଯିବାବେଳେ ୩ ଜଣ ଯୁବକ ତାଙ୍କୁ ଅପହରଣ କରି ନେଇଥିଲେ । ନଦୀ ବନ୍ଧ ପାଖରେ କିରୋସିନ୍‌ ଢାଳି ଜାଳିଦେବାକୁ ଉଦ୍ୟମ କରିଥିଲେ । ଦରପୋଡ଼ା ଅବସ୍ଥାରେ ୩ ଦୁର୍ବୃତ୍ତଙ୍କ କବଳରୁ ଖସି ଆସିଥିଲେ ନାବାଳିକା ଜଣଙ୍କ। ପାଖ ଗାଁର ଲୋକଙ୍କ ସାହାଯ୍ୟ କ୍ରମେ ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲା ବୋଲି କହିଛନ୍ତି ପୀଡିତା । ତେବେ ସେ ୩ ଜଣ ଦୁର୍ବୃତ୍ତ କିଏ ଥିଲେ ବୋଲି ଜାଣିନଥିବା କହିଛନ୍ତି ଛାତ୍ରୀ ଜଣଙ୍କ । ତେବେ ଏନେଇ ପୁରୀ ବଳଙ୍ଗା ଥାନାରେ ଏତଲା କରିଛନ୍ତି ପୀଡ଼ିତାଙ୍କ ମା । ମୁହଁରେ ରୁମାଲ ପକାଇ ଅଚେତ କରି ପୋଡ଼ି ମାରିବାକୁ ଉଦ୍ୟମ ଦର୍ଶାଇଛନ୍ତି । ୩ ଦୁର୍ବୃତ୍ତଙ୍କ କବଳରୁ ଝିଅ ଖସି ଆସି ତେରହଳ ଗାଁକୁ ପଳାଇ ଆସିଥିଲା । ୩ ଦୁର୍ବୃତ୍ତଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କହିଛନ୍ତି ପୀଡ଼ିତାଙ୍କ ମା’ ।