ଭୁବନେଶ୍ଵର: ‘ବୋଉ ବୁଟୁ ଭୁତ’ କ୍ରେଜ ଦିନକୁ ଦିନ ବଢିବାରେ ଲାଗିଛି । ଗତ ଜୁନ ୧୨ ରେ ରିଲିଜ ହୋଇଥିବା ଏହି ଫିଲ୍ମ ଲୋକଙ୍କ ମନ ଜିତୁଥିବା ବେଳେ ଦିନକୁ ଦିନ ଶୋ’ ହାଉସଫୁଲ ରହିଛି । ଫିଲ୍ମକୁ ନେଇ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ ଭଲ ମିଳୁଛି । ବକ୍ସ ଅଫିସରେ ଗୋଟେ ପରେ ଗୋଟେ ରେକର୍ଡ ମଧ୍ୟ ଭାଙ୍ଗିବାରେ ଲାଗିଛି । ରିଲିଜର ୨୦ ଦିନ ମଧ୍ୟରେ ୧୬ କୋଟି ଛୁଇଁଛି ବୋଉ ବୁଟୁ ଭୁତ । ଏଥିସହ ସର୍ବାଧିକ ଆୟ କରିଥିବା ପ୍ରଥମ ଓଡ଼ିଆ ଫିଲ୍ମ ମଧ୍ୟ ହୋଇପାରିଛି । ନିକଟରେ ଅଭିନେତା ବାବୁ ସାନ ଫିଲ୍ମର ଟ୍ରେଲର ୨ ରିଲିଜ କରିଥିଲେ ।

ତେବେ ଫିଲ୍ମଟି ଲୋକଙ୍କ ମନକୁ ଏତେ ଛୁଇଁଛି ଯେ ସାଉଥ ‘କଲ୍କି 2898AD’ ଫିଲ୍ମ ନିର୍ଦ୍ଦେଶକ ନାଗା ଅଶ୍ୱିନ ମଧ୍ୟ ଫିଲ୍ମର ପ୍ରଶଂସା କରିଛନ୍ତି । ‘ବୋଉ ବୁଟୁ ଭୁତ’ର ଟ୍ରେଲର ନିଜ ଇନଷ୍ଟାଗ୍ରାମରେ ସେୟାର କରି ନାଗା ଅଶ୍ଵିନ ଲେଖିଛନ୍ତି, ବହୁତ ଭଲ ଓଡ଼ିଆ ସିନେମା । ଏହାର ଛୋଟିଆ କ୍ଲିପ ମୁଁ ଦେଖିଥିଲି ଯାହା ବହୁତ ସୁନ୍ଦର ହୋଇଛି । ଓଡିଆ ସିନେମା ଆଗକୁ ବଢୁ । ଏହାପରେ ଫିଲ୍ମ ନିର୍ମାତା ରିପୋଷ୍ଟ କରି ନିର୍ଦ୍ଦେଶକଙ୍କୁ ଧନ୍ୟବାଦ ଦେଇଥିଲେ । ସେ ଲେଖିଥିଲେ, ‘ଯେତେବେଳେ ଆମ କାମକୁ ଅନ୍ୟ ଚଳଚ୍ଚିତ୍ର ଶିଳ୍ପର ପ୍ରମୁଖ ବ୍ୟକ୍ତିତ୍ୱମାନେ ପ୍ରଶଂସା କରନ୍ତି, ସେତେବେଳେ ଆମେ ଉତ୍ସାହିତ ଅନୁଭବ କରୁ । ବିଶିଷ୍ଟ ନିର୍ଦ୍ଦେଶକ ଏବଂ ଚିତ୍ରନାଟ୍ୟ ଲେଖକ ନାଗା ଅଶ୍ୱିନ ବୋଉ ବୁଟୁ ଭୂତର ସିନକୁ ପ୍ରଶଂସା କରିଛନ୍ତି । ଏପରି ପ୍ରଶଂସା ନିଶ୍ଚିତ ଭାବରେ ଆଞ୍ଚଳିକ ଭାଷାର ପ୍ରତିବନ୍ଧକକୁ ଭାଙ୍ଗି ଜାତୀୟ ଦର୍ଶକଙ୍କ ପାଖରେ ପହଞ୍ଚିବାକୁ ଉତ୍ସାହ ଦେବ ।