ସୋରୋ : ସୋର ଥାନା ତେଣ୍ଟେଇ ପଞ୍ଚାୟତ ଦୟାନିଧିପୁର ଗ୍ରାମରେ ଗୁଳି ମାଡ଼ କରି ଲୁଟ ଘଟଣା ରେ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ଲୁଟ୍ ଘଟଣାର ୨୪ ଘଣ୍ଟା ମଧ୍ୟରେ ସୋର ପୁଲିସକୁ ମିଳିଛି ସଫଳତା । ଏନେଇ ସୋର ଥାନାରେ ବାଲେଶ୍ୱର ଏସପି ରାଜ ପ୍ରସାଦ ସାମ୍ବାଦିକ ସମ୍ମିଳନୀରେ ଦେଇଛନ୍ତି ସୂଚନା । ଅଭିଯୁକ୍ତ ନିକଟରୁ ଦୁଇଟି ପିସ୍ତଲ, ୨୦ ଟି ଅଫୁଟା ଗୁଳି, ଲକ୍ଷାଧିକ ଟଙ୍କାର ସୁନା ରୁପା ଅଳଙ୍କାର, ବୁଲେଟ ବାଇକ୍, ହନୁମାନ ପଇସା ସମେତ କିଛି ପୁରୁଣା ମୁଦ୍ରା ଜବତ କରିଛି ପୋଲିସ।
ସୂଚନା ଅନୁଯାୟୀ, ଦୟାନିଧିପୁର ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ରବିନ୍ଦ୍ର ନାୟକଙ୍କ ଘରେ ପଶି ୭ ରୁ ୮ ଜଣ ଦୁର୍ବୃତ୍ତ ଗୁଳି ଫୁଟାଇ ଲୁଟ୍ କରିଥିଲେ । ପରିବାର ଲୋକଙ୍କ ହାତ ଗୋଡ଼ ବାନ୍ଧି ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗହଣା ସମେତ ନଗଦ ୫୦ ହଜାର ଟଙ୍କା ଲୁଟି ନେଇଥିଲେ । ଗୁଳି ମାଡ଼ରେ ଦୁଇ ପଡୋଶୀ ଗୁରୁତର ଆହତ ହୋଇଥିଲେ । ଉକ୍ତ ଘଟଣା ପରେ ବାଲେଶ୍ୱର ଏସପି ରାଜ ପ୍ରସାଦ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଥିଲେ । ପରେ ତାଙ୍କ ନେତୃତ୍ୱରେ ଅତିରିକ୍ତ ଏସପି, ସଦର ଏସଡିପିଓ ଏବଂ ସୋର ଆଇଆଇସି ସୁଦୀପ୍ତ ସାହୁ ସମେତ ସୋର ଥାନାର କିଛି ପୁଲିସ ଅଧିକାରୀଙ୍କୁ ନେଇ ଏକ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ଚଢାଉ ବେଳେ ବାଗୁଡ଼ି ଅଞ୍ଚଳରୁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଆଲାବାଗ ଗ୍ରାମର ବାପି ମନରଞ୍ଜନ ପାଣି (୩୪) କୁ ଗିରଫ କରିଥିଲେ। ଗିରଫ ପରେ ପୋଲିସ ତାନିକଟରୁ ଦୁଇଟି ପିସ୍ତଲ, ୨୦ ଗୋଟି ଅଫୁଟା ଗୁଳି , ଲକ୍ଷାଧିକ ଟଙ୍କାର ସୁନା ରୁପା ଅଳଙ୍କାର, ଗୋଟିଏ ବୁଲେଟ ବାଇକ୍, ନଗଦ ୨୭ ହଜାର ଟଙ୍କା, ହନୁମାନ କଏନ ସମେତ କିଛି ପୁରୁଣା ମୁଦ୍ରାକୁ ପୋଲିସ ଜବତ କରିଛି ।
ଅଭିଯୁକ୍ତ ନାମରେ ଖଇରା, ସୋର, ସିମୁଳିଆ, ବାସୁଦେବପୁର, ଚାନ୍ଦବାଲି, ତାଳଚେର ଅଞ୍ଚଳ ଥାନାରେ ୧୯ ରୁ ଅଧିକ ମାମଲା ଥିବା ଜଣାପଡିଛି । ଅନ୍ୟ ଅଭିଯୁକ୍ତ ମାନଙ୍କୁ ୨ ଦିନ ମଧ୍ୟରେ ଗିରଫ କରାଯିବ ବୋଲି ଏସପି ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ମୁଖ୍ୟ ଅଭିଯୁକ୍ତକୁ ପୁଣି ରିମାଣ୍ଡରେ ଆଣି ଅଧିକ ପଚରା ଉଚରା କରାଯିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି ଏସପି।