ଚଳିତ ବର୍ଷ ରଥଯାତ୍ରାରେ ନିରନ୍ତର ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗର ବ୍ୟାପକ ପ୍ରସ୍ତୁତି ଆରମ୍ଭ
ଭୁବନେଶ୍ୱର-: ମହାପ୍ରଭୁ ଜଗନ୍ନାଥଙ୍କର ଚଳିତ ବର୍ଷ ରଥଯାତ୍ରାରେ ନିରନ୍ତର ସ୍ବାସ୍ଥ୍ୟସେବା ନିଶ୍ଚିତ କରାଇବା ପାଇଁ ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି । ଏଥିପାଇଁ ବିଭାଗୀୟ ଶାସନ ସଚିବ ଅଶ୍ଵତୀ ଏସ.ଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସଭା ଗୃହଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ବାସ୍ଥ୍ୟ ବିଭାଗ ଅନ୍ତର୍ଗତ ବିଭିନ୍ନ ନିର୍ଦ୍ଦେଶାଳୟ ତରଫରୁ ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇଥିବା ପୂର୍ବ -ପ୍ରସ୍ତୁତିର ସମୀକ୍ଷା କରି ମହାପ୍ରଭୁଙ୍କ ଯାତ୍ରା ସମୟରେ ସେବାୟତ, ଭକ୍ତ, ପର୍ଯ୍ୟଟକ ଜରୁରୀ କାଳୀନ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା, ଔଷଧ ଓ ମାନବ ସମ୍ବଳ ଆଗୁଆ ପୁରୀରେ ପ୍ରସ୍ତୁତ ରଖିବା ପାଇଁ ଶ୍ରୀମତୀ ଅଶ୍ଵତୀ ସ୍ବାସ୍ଥ୍ୟ ବିଭାଗ ଅଧିନସ୍ଥ ସବୁ ନିର୍ଦ୍ଦେଶାଳୟମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
୨୬ ଜୁନ ନବଯୌବନ ଦର୍ଶନରୁ ୮ ଜୁଲାଇ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କେ.ଡି.ଏମ୍.ଏମ୍ ପୌରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର, ପୋଲିସ ହସ୍ପିଟାଲ, ସାକ୍ଷୀଗୋପାଳ, ମଙ୍ଗଳପୁର, ପିପିଲି ଷ୍ଟେସନ ରୋଡ, ରେବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଟି.ବି.ଆଇ.ଡି.ଏଚ୍ ହସ୍ପିଟାଲ, ଜଗନ୍ନାଥ ମେଡିକାଲ କଲେଜରେ ଅଧିକ ସଂଖ୍ୟକ ବେଡ୍, ଚିକିତ୍ସା ସୁବିଧା ଏବଂ ଔଷଧ ଆଦିର ବ୍ୟବସ୍ଥା କରିବା ପାଇଁ ସ୍ଥିର କରାଯାଇଛି । ଚଳିତ ବର୍ଷ ଅଧିକ ମାତ୍ରାରେ ଫାଷ୍ଟ୍-ଏଡ୍ କେନ୍ଦ୍ର ଖୋଲିବା ପାଇଁ ସ୍ଥିର କରାଯାଇଛି । ଏହି କେନ୍ଦ୍ର ଗୁଡ଼ିକ ୩ ଟି ସିଫ୍ଟରେ ୨୪ ଘଣ୍ଟା ଧରି କାର୍ଯ୍ୟ କରିବେ ।