ଭୁବନେଶ୍ବର-: ନବ ଦାସ ହତ୍ୟାକାଣ୍ଡ ଘଟଣାରେ ସମସ୍ତ ସାକ୍ଷୀଙ୍କୁ ଦ୍ବିତୀୟ ଥର ଜେରା କରିଛି କ୍ରାଇମ୍ବ୍ରାଞ୍ଚ। ଅଭିଯୁକ୍ତଙ୍କ କଲ୍ ଡିଟେଲ୍ ରେକର୍ଡ ଯାଞ୍ଚ କରାଯାଇଛି । ଯେଉଁମାନଙ୍କର ଏଥିରେ ନାଁ ବାହାରିଛି ସେମାନଙ୍କୁ ମଧ୍ୟ ପଚରାଉଚରା କରାଯାଉଛି । ପରିବାର ଲୋକେ ଯେଉଁ ଅଭିଯୋଗ ଆଣୁଛନ୍ତି, ସେ ଦିଗକୁ ମଧ୍ୟ କ୍ରାଇମ୍ବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କରିଛି । ନବ ଦାସ ହତ୍ୟା ମାମଲା ନେଇ କ୍ରାଇମ୍ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ପରିବାର ଲୋକଙ୍କୁ ପଚରାଉଚରା କରାଯାଇଛି । ଯେଉଁ ଦିଗରେ ସେମାନେ କହିଛନ୍ତି, ପ୍ରତି ଦିଗକୁ ନେଇ ତଦନ୍ତ କରାଯାଉଛି । କଲ୍ ଡିଟେଲରେ ଥିବା ବ୍ୟକ୍ତିଙ୍କୁ ମଧ୍ୟ ପଚରାଉଚରା କରାଯାଉଛି । ଅନ୍ତରୀଣ ଚାର୍ଜସିଟ୍ ବଳରେ ମାମଲାର ବିଚାର ଚାଲିଛି । ଏନେଇ ଖୁବ୍ଶୀଘ୍ର ଫାଇନାଲ୍ ରିପୋର୍ଟ ଦାଖଲ ହେବ ।
ଦୁଇ ଦିନ ପୂର୍ବେ ଅର୍ଥାତ୍ ଶନିବାର ଦିନ କ୍ରାଇମ୍ବ୍ରାଞ୍ଚ ଏଏସ୍ପି ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ଅଭିଯୁକ୍ତ ଗୋପାଳଙ୍କ ଘରକୁ ଯାଇଥିଲା । ସେଠାରେ ସେ ତାଙ୍କ ପତ୍ନୀ ଜୟନ୍ତୀ ଦାସଙ୍କୁ ଜେରା କରିଥିବା ବେଳେ, ଗୋପାଳଙ୍କ ଚିକିତ୍ସା କରୁଥିବା ମାନସିକ ରୋଗ ବିଶେଷଜ୍ଞଙ୍କୁ ମଧ୍ୟ ପଚରାଉଚରା କରିଥିଲା । ବର୍ତ୍ତମାନ ସୁଦ୍ଧା ୧୧ଜଣଙ୍କୁ ଜେରା କରାଯାଇ ବୟାନ ରେକର୍ଡ କରାଯାଇଛି । ହତ୍ୟା ପୂର୍ବରୁ ଗୋପାଳ ଯେଉଁମାନଙ୍କ ସହିତ ଫୋନ୍ରେ କଥା ହୋଇଥିଲେ ତା’ର କଲ ଡିଟେଲ ରେକର୍ଡ ବାହାର କରି ଜଣକ ପରେ ଜଣେ ବ୍ୟକ୍ତିଙ୍କୁ କ୍ରାଇମବ୍ରାଞ୍ଚ ଜେରା କରୁଛି ।
ଏହି ସାନି ତଦନ୍ତରେ ବର୍ତ୍ତମାନ କ୍ରାଇମ୍ବ୍ରାଞ୍ଚ ହାତରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି । ମାତ୍ର କ୍ରାଇମ୍ବ୍ରାଞ୍ଚ ଟିମ୍ ଏହି ଦିଗରେ କିଛି ସ୍ପଷ୍ଟ ସୂଚନା ଦେଉନାହିଁ । ଟିମ୍ ପକ୍ଷରୁ ଆଉ କିଛି ଲୋକଙ୍କୁ ମଧ୍ୟ ଜେରା କରାଯିବାର ସମ୍ଭାବନା ରହିଛି । ପୂର୍ବରୁ କ୍ରାଇମ୍ବ୍ରାଞ୍ଚ ଟିମ୍ ଗୋପାଳଙ୍କ ପୁଅ ମନୋଜ ଦାସ, ଭାଇ ସତ୍ୟ ନାରାୟଣ ଦାସ ଓ ତାଙ୍କ ପୁତୁରା ପ୍ରଦୀପ ଦାସଙ୍କୁ ପଚରାଉଚରା କରି ବୟାନ ରେକର୍ଡ କରିଛି ।