୪୦୦ କୋଟି ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଗଲା

ଦାହୋଦ-: ଗୁଜରାଟର ଦାହୋଦ ଜିଲ୍ଲାରେ କେନ୍ଦ୍ରୀୟ ସରକାରୀ ଅଧୀନ NTPC କମ୍ପାନୀ ଦ୍ୱାରା ନିର୍ମାଣାଧୀନ ୭୦ ମେଗାୱାଟ ସୌରଶକ୍ତି ପ୍ରକଳ୍ପ ପାଇଁ ଉପକରଣ ସଂରକ୍ଷଣ କରୁଥିବା ଏକ ଗୋଦାମରେ ସୋମବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିଶମ ବାହିନୀ ରାତିସାରା ନିଆଁ ଲିଭା କାର୍ଯ୍ୟ କରିଥିଲେ ଏବଂ ଶେଷରେ ମଙ୍ଗଳବାର ସକାଳ ସୁଦ୍ଧା ଏହାକୁ ନିୟନ୍ତ୍ରଣ କରାଯାଇଥିଲା ।

ଭାଟିୱାଡା ଗାଁରେ ଏହି ଘଟଣା ରାତି ପ୍ରାୟ ୯:୩୦ ସମୟରେ ଘଟିଥିଲା । ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ ଜଗଦୀଶ ଭଣ୍ଡାରୀ କହିଛନ୍ତି ଯେ ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଛି, ପ୍ରାୟ ସମ୍ପୂର୍ଣ୍ଣ ଗୋଦାମ ନଷ୍ଟ ହୋଇଯାଇଛି, ଏଥିରେ ପ୍ରାୟ ୪୦୦ କୋଟି ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ଯଦିଓ କୌଣସି ମୃତାହତର ଖବର ନାହିଁ, ତଥାପି ସେଠାରେ ଉପସ୍ଥିତ ସାତରୁ ଆଠ ଜଣ କର୍ମଚାରୀ ଏବଂ ଚାରି ଜଣ ସୁରକ୍ଷା କର୍ମୀଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଏନଟିପିସିର ଅଧିକାରୀ ଏବଂ ଅଗ୍ନିଶମବାହିନୀ  ଘଟଣାସ୍ଥଳକୁ ଯାଇ ନିଆଁକୁ ଆୟତ୍ତ କରିଥିଲେ । ପୋଲିସ ସିସି ଟିଭି ଫୁଟେଜକୁ ଆଧାର କରି ତଦନ୍ତ ଜାରି ରଖିଛି । ଦୀର୍ଘ ଦିନରୁ କିଛି ସ୍ଥାନୀୟ ଲୋକ ପ୍ଲାଣ୍ଟ କାମକୁ ବିରୋଧ କରି ଆସୁଥିଲେ ତେଣୁ ଅଗ୍ନିକାଣ୍ଡ ପଛରେ ସେମାନଙ୍କ ହାତ ଥିବା ନେଇ ସନ୍ଦେହ କରାଯାଉଛି ।