୪ କୋଟି ଟଙ୍କାକୁ ପସନ୍ଦ କରିଛନ୍ତି ଭିନେଶ ଫୋଗାଟ୍

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ରେସଲର ତଥା ହରିୟାଣାର ଜିନ୍ଦ ଜିଲ୍ଲାର ଜୁଲାନା ବିଧାନସଭା ଆସନରୁ କଂଗ୍ରେସ ବିଧାୟକ ଭିନେଶ ଫୋଗାଟ୍ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ବିକଳ୍ପ ଚୟନ କରିଛନ୍ତି। ତାଙ୍କୁ ସରକାରୀ ଚାକିରି, ଫ୍ଲାଟ୍ ଏବଂ ୪ କୋଟି ନଗଦ ପୁରସ୍କାର ରାଶି ମଧ୍ୟରୁ ଗୋଟିଏ ଗ୍ରହଣ କରିବାକୁ  ଅଫର ଦିଆଯାଇଥିଲା। ସେ ନଗଦ ୪ କୋଟି ଟଙ୍କାକୁ ପସନ୍ଦ କରିଛନ୍ତି । ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ ଫୋଗାଟ୍ ଫାଇନାଲ୍ରେ ପହଞ୍ଚିଥିଲେ। କିନ୍ତୁ ଓଜନ ୧୦୦ ଗ୍ରାମ ବଢିଯିବାରୁ ସେ ଫାଇନାଲ୍ ଖେଳିବାକୁ ଅଯୋଗ୍ୟ ବିବେଚିତ ହୋଇଥିଲେ।

ଫୋଗାଟ ହରିୟାଣା ସରକାରଙ୍କ ୪ କୋଟି ଟଙ୍କାର ଅଫର୍‌କୁ ସ୍ୱୀକାର କରିଛନ୍ତି । ଫୋଗାଟଙ୍କ ସହମତି ପତ୍ର ଖେଳ ବିଭାଗକୁ ମିଳିସାରିଛି । କୁସ୍ତି ଯୋଦ୍ଧାଙ୍କୁ ଅର୍ଥରାଶି ପ୍ରଦାନ ପ୍ରକ୍ରିୟା ଆରମ୍ଭ ମଧ୍ୟ ହୋଇସାରିଛି । ମୁଖ୍ୟମନ୍ତ୍ରୀ ନାୟକ ସିଂହ ସୈନୀ ଫୋଗାଟଙ୍କୁ ରୌପ୍ୟ ବିଜେତାଙ୍କ ପରି ସମ୍ମାନ କରିବେ ବୋଲି ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ସୈନୀଙ୍କ ଘୋଷଣା ପରେ ବି କିଛି ନମିଳିବାରୁ ଫୋଗାଟ ଏହା ଉପରେ ପ୍ରଶ୍ନ ଉଠାଇଥିଲେ । ସେ ବିଧାନସଭାର ବଜେଟ୍ ଅଧିବେଶନରେ କହିଥିଲେ ଯେ ସରକାର ତାଙ୍କୁ ସିଲଭର୍ ମେଡାଲିଷ୍ଟ ପରି ସମ୍ମାନ ଦେବେ ବୋଲି ଘୋଷଣା କରିଥିଲେ । ଏହା ଭିତରେ ୮ ମାସ ବିତି ସାରିଛି, ତଥାପି କିଛି ମିଳିଲା ନାହିଁ ।ଫୋଗାଟ କହିଥିଲେ ଯେ ପ୍ୟାରିସର ଫାଇନାଲ୍‌ରେ ପହଞ୍ଚିବା ପରେ ଯାହା କିଛି ଘଟିଲା ତାହା ପରତ୍ମାତାଙ୍କ ଇଚ୍ଛା ଥିଲା ଓ ମୁଁ ଏହାକୁ ସ୍ୱୀକାର କରିଥିଲେ । ସେତେବେଳେ ଆମ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ଭିନେଶ ଆମ ଝିଅ ଓ ତାଙ୍କୁ ରୌପ୍ୟ ବିଜେତାଙ୍କ ପରି ସମ୍ମାନ ଦିଆଯିବ । କିନ୍ତୁ ଆଜି ଯାଏ ସେମାନେ ନିଜ ପ୍ରତିଶ୍ରୁତି ପୂରଣ କଲେ ନାହିଁ ।   ଏହାପରେ ରାଜ୍ୟ ସରକାର ୨୦୧୯ର କ୍ୟାସ୍ ଆୱାର୍ଡର ଖେଳ ପଲିସି ଅନୁସାରେ ଭିନେଶଙ୍କୁ ତିନୋଟି ବିକଳ୍ପ ଦିଆଯାଇଥିଲା । ସରକାରୀ ଚାକିରି, ହରିୟାଣା ନଗର ଉନ୍ନୟନ ବିକାଶ ପ୍ରାଧିକରଣର ପ୍ଲଟ୍ କିମ୍ୱା ୪ କୋଟି ଟଙ୍କାର ଅର୍ଥରାଶି ମଧ୍ୟରୁ ଗୋଟିଏକୁ ଚୟନ କରିବା ଅଫର୍ ଦିଆଯାଇଥିଲା ।