ଆଗାମି ଦିନରେ ବଜାରରେ ବିକ୍ରି ହେବ ଓମଫେଡ ଚକଲେଟ୍ ଓ ପାଣି ବୋତଲ

ଭୁବନେଶ୍ୱର: ବଜାରକୁ ଆସିବ ଓମ୍‌ଫେଡ୍‌ ଚକ୍‌ଲେଟ୍‌ । ଆଗାମୀ ଦିନରେ ଓମଫେଡ ଚକ୍‌ଲେଟ୍‌ ବିକ୍ରି କରିବ। ଏନେଇ ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ୍‌ ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ ବୁଧବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଶ୍ରୀ କୁଲାଙ୍ଗେ କହିଛନ୍ତି ଓମ୍‌ଫେଡ୍‌ର ଚକଲେଟ୍‌ ଡିଜାଇନ୍ ନ୍ୟାସନାଲ୍‌ ଡାଏରି ଡେଭଲପମେଣ୍ଟ ବୋର୍ଡ ପକ୍ଷରୁ କରାଯାଇଛି। ଏନେଇ ଏକ ସବିଶେଷ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରାଯାଇଛି । ଆବଶ୍ୟକ ପୁଞ୍ଜି ନିବେଶ ପାଇଁ  ଏହାକୁ ଖୁବଶୀଘ୍ର ଓଡ଼ିଶା ସରକାରଙ୍କୁ ପ୍ରଦାନ କରାଯିବ । ଉତ୍ପାଦରେ ବିବିଧତା ଆଣିବା ଓ କ୍ଷୀରଜାତୀୟ ଉତ୍ପାଦରେ ମୂଲ୍ୟସଂଯୁକ୍ତ କରିବା ଲକ୍ଷ୍ୟରେ ଏହି ପ୍ରକଳ୍ପର ପରିକଳ୍ପନା କରାଯାଇଛି ବୋଲି ସେ କହିଛନ୍ତି । ଏହା ସହିତ ଓମ୍‌ଫେଡ୍ ଖୁବଶୀଘ୍ର ପାଣି ବୋତଲ ମଧ୍ୟ ବଜାରରେ  ବିକ୍ରି କରିବାକୁ ଯୋଜନା କରିଛି। ଆଗାମୀ କିଛି ମାସରେ ଓଡ଼ିଶା ବଜାରରେ ଓମଫେଡ୍ ପାଣି ବୋତଲ ବିକ୍ରି ଆରମ୍ଭ କରିବ।