ଭୁବନେଶ୍ୱର: ଆଉ ଦିନକ ପରେ ରୁକୁଣା ରଥଯାତ୍ରା । ନିର୍ଦ୍ଧାରିତ ସମୟରେ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ କାର୍ଯ୍ୟ ଶେଷେ ହୋଇଥିବା ବେଳେ ଗତକାଲି ଏହାକୁ ହସ୍ତାନ୍ତର କରିଛନ୍ତି ମହାରଣା ସେବାୟତ । ଏହାପରେ ପୂର୍ତ୍ତ ବିଭାଗ ପକ୍ଷରୁ ଯଞ୍ଚ କରାଯାଇଥିବା ବେଳେ ଆଡି ରଥଗାଡାରେ ନେତ ଉତ୍ସବ କରାଯିବ । ସନ୍ଧ୍ୟା ଧୂପ ପରେ ଏହା ଆରମ୍ଭ ହେବ । ନେତ ଉତ୍ସବ ପୂଜାରେ ଯୋଗଦେବେ ଗଜପତିଙ୍କ ପ୍ରତିନିଧି ରାଜଗୁରୁ ସେବାୟତ ।

ସେବାୟତମାନେ ମୁକ୍ତେଶ୍ୱର ମନ୍ଦିରରେ ଥିବା ମରିଚି କୁଣ୍ଡରୁ ରଥ ପ୍ରତିଷ୍ଠା ନିମନ୍ତେ ପାଣି ଗରା ଆଣିବେ । ପ୍ରଥମ ଗରା ପାଣି ରଥ ପ୍ରତିଷ୍ଠା ପାଇଁ ଯିବା ପରେ ବଡ଼ୁ ନିଯୋଗ ତରଫରୁ ନିଃସନ୍ତାନ ଦମ୍ପତିଙ୍କୁ ପରବର୍ତ୍ତି ପାଣି ଗରା ଗଡ଼ିକ ନିଲାମ କରି ବିକ୍ରି କରାଯିବ । ସେପଟେ ମହାଖଳା ଗଡ଼ାରେ ଠାକୁରଙ୍କ ରଥ ପ୍ରତିଷ୍ଠା ଓ ପଞ୍ଚବକ ପୂଜା କରାଯିବ । ଯଦି ରଥ ପ୍ରତିଷ୍ଠା ନୀତି ନିର୍ଦ୍ଧାରିତ ସମୟରେ ସମାପନ ହେବ ତା’ହେଲେ ଶନିବାର ଅଶୋକାଷ୍ଟମୀରେ ରଥଟଣା ମଧ୍ୟ ନିର୍ଦ୍ଧାରିତ ସମୟରେ ଅର୍ଥାତ୍ ସାଢ଼େ ୩ଟାରେ ଆରମ୍ଭ ହେବ ବୋଲି ସେବାୟତ ମାନେ କହିଛନ୍ତି ।

ଏଥର ରଥ ଯାତ୍ରାରେ ସୁରକ୍ଷା ନିମନ୍ତେ ଡିସିପିଙ୍କ ନେତୃତ୍ୱରେ ସମୁଦାୟ ୧୩ ପ୍ଳାଟୁନ ଫୋର୍ସ ମୁତୟନ କରାଯିବ । ଏତଦ୍ଭିନ୍ନ ୫୭ ଜଣ ଏସ୍ଆଇ,୨୧ ଜଣ ଏଏସଆଇ, ୬ ଜଣ ଇନିସପ୍ଟେର, ୨ଜଣ ଏସିପି ଓ ୨ ଜଣ ଅତିରିକ୍ତ ଡିସିପି ମଧ୍ୟ ଉପସ୍ଥିତ ରହିବେ ବୋଲି ଲିଙ୍ଗରାଜ ଥାନା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ କହିଛନ୍ତି ।