ରାଜ୍ୟରେ ଆଜିଠୁ ଶୁଭାରମ୍ଭ ହେଲା ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହାର ଶୁଭାରମ୍ଭ କରିଛନ୍ତି । ଉମରକୋଟ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଓ ସ୍ୱାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟରୁ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ଆରମ୍ଭ ହୋଇଛି । ଉଭୟ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଣ୍ଡିଆରେ ପ୍ରସ୍ତୁତ ଲଡୁ ବାଣ୍ଟିବା ସହିତ ନବମ ଓ ଦଶମ ପିଲାଙ୍କ ମଧ୍ୟାହ୍ନ ଭୋଜନର ମଧ୍ୟ ଶୁଭାରମ୍ଭ କରିଛନ୍ତି ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ସପ୍ତାହକୁ ତିନି ଦିନ ଲଡୁ ବଣ୍ଟନ କରାଯିବ ।
ଏଥିରେ ରାଜ୍ୟରେ ୧୦ ଲକ୍ଷ ୮୦ ହଜାର ଛାତ୍ରଛାତ୍ରୀ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ୫୭୦.୭୧ କୋଟି ଟଙ୍କା ବ୍ୟୟ କରିବେ । ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ବଜେଟ୍ରୁ ଏହି ଖର୍ଚ୍ଚ କରାଯିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପୁର୍ବରୁ ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ଅବସରରେ ଗଣଶିକ୍ଷା ମନ୍ତ୍ରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ ଖାଇଥିଲେ ।