ଭୁବନେଶ୍ୱର : ଏପ୍ରିଲ ୨ ଠାରୁ ଆରମ୍ଭ ହେବ ଯୁକ୍ତ ଦୁଇ ଖାତାଦେଖା। ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ।
ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା ଅନୁସାରେ, ଚଳିତ ବର୍ଷ ଏପ୍ରିଲ ୨ ଠାରୁ ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ। ମେ ୧୫ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରାଯିବ। ଏକ ସଙ୍ଗେ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶ କରାଯିବ। ଏହା ସହ ସେ ଆହୁରି କହିଛନ୍ତି, ଖାତା ଦେଖା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୮ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତ ହୋଇଛନ୍ତି। ସେମାନଙ୍କ ସୁବିଧା ଦୃଷ୍ଟିରୁ ନିଜ ଜିଲ୍ଲାରେ ହୋଇଥିବା ମୂଲ୍ୟାଙ୍କନ କେନ୍ଦ୍ରରେ ଖାତା ଦେଖିବା ପାଇଁ ନିୟୋଜିତ କରାଯାଇଛି। ଖାଲି ସେତିକି ନୁହେଁ ଖରାକୁ ଦୃଷ୍ଟିରେ ରଖି ଦୁଇଟି ସିଫ୍ଟରେ ଖାତା ଦେଖା ହେବ। ଅତ୍ୟଧିକ ଖରା ଓ ମୂଲ୍ୟାଙ୍କନ କେନ୍ଦ୍ରର ଦୂରତା ଯୋଗୁ ଯେପରି କୌଣସି ଶିକ୍ଷକ ଶିକ୍ଷୟିତ୍ରୀ ଖାତା ଦେଖିବାକୁ ଆସିବା ଅସୁବିଧା ନହେବ ସେଥିପାଇଁ ମୂଲ୍ୟାଙ୍କନ କେନ୍ଦ୍ର ବଢ଼ାଯାଇଛି ।