ସରକାର ଅବହେଳା କରିଛନ୍ତି

ଗତକାଲି ମହା ଶିବରାତ୍ରୀରେ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଉଠିବା ପରେ ଅଘଟଣରେ ଆହତ ହୋଇଥିବା ସେବାୟତଙ୍କୁ ଭେଟିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । କ୍ୟାପିଟାଲ ହସ୍ପିଟାଲକୁ ଯାଇ ଆହତ ସେବାୟତଙ୍କ ସହ କଥା ହୋଇଥିଲେ ଭକ୍ତ । ଏହାସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ତାଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି ।

ଏହା ସହ ଏମିତି ଘଟଣାକୁ ନେଇ ସେ ସରକାରଙ୍କୁ ମଧ୍ୟ ଘେରିଛନ୍ତି । ପ୍ରଶାସନିକ ସ୍ଥରରେ ଅବହେଳା ଓ ସରକାରଙ୍କ ଆନ୍ତରିକତା ଅଭାବରୁ ଏମିତି ଘଟଣା ଘଟିଥିବା ସେ ସିଧା ସିଧା କହିଛନ୍ତି । ସେ କହିଛନ୍ତି, ମହାଦୀପ ଉଠିବା ସ୍ଥାନରେ ବାଲି ପଡ଼ିବା କଥା । ହେଲେ ଏଥର ବାଲି ପଡ଼ି ନଥିଲା । ସରକାର ବାଲି ପକାଇବାକୁ ଭୁଲିଗଲେ । ଯାହାର ପରିଣାମ କ’ଣ ହେଲା କାଲି ସମସ୍ତେ ଦେଖିଲେ । ସେବାୟତଙ୍କ ଗୋଡ଼ ଭାଙ୍ଗିଛି ଓ ମୁହଁରେ ଆଘାତ ଲାଗିଛି । ତାଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଆମେ ଦାବି କରୁଛୁ ।

ଏହାସହ ରଥଯାତ୍ରା ସମୟରେ ବଡ଼ ଠାକୁର ବଳଭଦ୍ର ପଡ଼ିଯିବା କଥା ବି ଉଠାଇଲେ ଭକ୍ତ । ସେ କହିଛନ୍ତି, ରଥଯାତ୍ରା ସମୟରେ ବଡ଼ ଠାକୁର ପଡ଼ିଗଲେ । ଆଜି ପର୍ଯ୍ୟନ୍ତ ଏହି ଘଟଣାରେ ଶ୍ୱତପତ୍ର ଜାରିକଲେଣି ସରକାର । ଏବେ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଉଠିବା ବେଳେ ସେବାୟତ ପଡ଼ିଗଲେ । ୩୦ ବର୍ଷ ହେଲା ସେ ଏହି କାମ କରି ଆସୁଛନ୍ତି, କେବେ ଏମିତି ଘଟଣା ଘଟି ନଥିଲା । ବର୍ତ୍ତମାନର ସରକାର ଅବହେଳା କରିଛନ୍ତି । ମହାଦୀପ ଉଠିବା ସ୍ଥାନରେ ବାଲି ପଡ଼ିବା କଥା, ହେଲେ ଏଥିପ୍ରତି ଆଖି ବୁଜି ଦେଲେ । ଯାହା ଦ୍ୱାରା ଏତେବଡ଼ ଅଘଟଣ ଘଟିଗଲା । ଏହି ଘଟଣାର ମଧ୍ୟ ଶ୍ୱତପତ୍ର ସରକାର ଆଣନ୍ତୁ ।