ଭୁବନେଶ୍ୱର: ରାଜ୍ୟରେ ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବ । ବର୍ଷା ସହ କିଛି କିଛି ସ୍ଥାନରେ ପବନର ବେଗ ବୃଦ୍ଧି ପାଇ ୫୦ରୁ୬୦ କିମି ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଛି । ଏହି କ୍ରମରେ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଆଦି ଜିଲ୍ଲାରେ ବିଜୁଳି ଗଡଘଡି ସାଙ୍ଗକୁ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।

ସେହିପରି ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବର୍ଷା ସାଙ୍ଗକୁ ୪୦-୫୦ କିମି ବର୍ଯ୍ୟନ୍ତ ପବନ ବହିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଆଲର୍ଟ ଜାରି କରିଛି । ଟ୍ରପ ଲାଇନ ପ୍ରଭାବରେ ଲଗାତାର ୩ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି ।

ଗତ ୨୪ ଘଣ୍ଟାରେ ରାୟଗଡାରେ ସର୍ବାଧିକ ୨୭.୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିପରି ଅନୁଗୁୁଳରେ ୨୧ ମିମି ବର୍ଷା ହୋଇଥିବା ବେଳେ ବାଲେଶ୍ୱର ଓ କଟକରେ ୫ ମିମି ଲେଖାଏଁ ବର୍ଷା ରେକର୍ଡ ହୋଇଛି । ବର୍ଷା ଯୋଗୁଁ ଆଗାମୀ ୪ ରୁ ୫ ଦିନ ମଧ୍ୟରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାକୁ ନଥିବା ବେଳେ ଆଜି ସୋନପୁର, ଭବାନୀପାଟଣା ଓ ଝାରସୁଗୁଡ଼ାରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି ।