ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂଙ୍କ ପରଲୋକ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂଙ୍କ ପରଲୋକ। ଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ଗୁରୁବାର ସନ୍ଧ୍ୟାରେ ନିଶ୍ବାସ ନେବାରେ କଷ୍ଟ ହେବାରୁ ତାଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ପରଲୋକ ହୋଇଥିଲା । ରାତି ୮ଟା ୬ ମିନିଟରେ ତାଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା ଓ ଏମ୍ସ ପକ୍ଷରୁ ରାତି ୯ଟା ୫୧ ମିନିଟରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଏହି ଦୁଃଖଦ ଘଟଣାରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି। ତାଙ୍କ ପରଲୋକରେ କେନ୍ଦ୍ର ସରକାର ୭ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏହା ସହିତ କେନ୍ଦ୍ର ସରକାରଙ୍କ ସମସ୍ତ ସରକାରୀ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ରହିବ। ତାଙ୍କର ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ। ଶୁକ୍ରବାର ପୂର୍ବାହ୍ନ ୧୧ ଟା ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପାଇଁ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ।

ସୂଚନା ଅନୁଯାୟୀ,  ଡ. ମନମୋହନ ସିଂ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ଥିଲେ । ଏହା ପୂର୍ବରୁ ସେ ଭାରତର ଅର୍ଥମନ୍ତ୍ରୀ , ଅର୍ଥ ସଚିବ ଓ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ମଧ୍ୟ ରହିଥିଲେ। ଦେଶର ଅର୍ଥନୀତିକୁ ସଂକଟରୁ ଉଦ୍ଧାର କରି ଆଗକୁ ନେବାରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ବୋଲି ବିବେଚନା କରାଯାଏ । ୧୯୯୧ରେ ଆରମ୍ଭ ହୋଇଥିବା ଦେଶର ଅର୍ଥନୈତିକ ସଂସ୍କାରକୁ ଆଗକୁ ବଢ଼ାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛଥିଲେ।