ପାରାଦୀପ : ମହାନଦୀ ମୁହାଣରେ ଫସିଲେ ୧୪ ମତ୍ସ୍ୟଜୀବୀ । ଗୋଟିଏ ବୋଟ୍କୁ ଉଦ୍ଧାର ପାଇଁ ଯାଇ ଫସିଲା ଆଉ ଏକ ବୋଟ୍ । ଅଚଳ ବୋଟ୍କୁ ଟାଣି ଟାଣି ଆଣୁଥିବା ବେଳେ ଦଉଡ଼ି ଛିଣ୍ଡିଲା। ଦଉଡ଼ି ଛିଣ୍ଡି ପଙ୍ଖାରେ ଲାଗିବାରୁ ଫସିଲା ଉଦ୍ଧାରକାରୀ ବୋଟ୍ । ଫସିଥିବା ୨ଟି ବୋଟ୍କୁ ଉଦ୍ଧାର ପାଇଁ କୋଷ୍ଟଗାର୍ଡର ଉଦ୍ୟମ ।
ସୂଚନାମୁତାବକ ଆଜି ସକାଳେ ପ୍ରଥମେ ଏକ ମାଛଧରା ବୋଟ ସମୁଦ୍ର ମଝିରେ ଅଚଳ ହୋଇ ଯାଇଥିଲା। ସୂଚନା ପାଇ ତୁରନ୍ତ ତାହାକୁ ଉଦ୍ଧାର କରିବାକୁ ଅନ୍ୟ ଏକ ବୋଟ ସମୁଦ୍ର ମଝିକୁ ଯାଇଥିଲା। ମାତ୍ର ସମୁଦ୍ର ଅଶାନ୍ତ ଥିବାରୁ ବଡ଼ ବଡ଼ ଲହଡି ମାଡ଼ ହେଉଥିବାରୁ ତାହାର ବି ଇଞ୍ଜିନି ଖରାପ ହୋଇ ଯାଇଛି। ଯାହାଫଳରେ ମୁହାଣ ନିକଟରେ ଦୁଇଟି ବୋଟ୍ ଅଟକି ରହିଥିଲା ।ଫଳରେ ବୋଟ ଦୁଇଟି ମଝି ସମୁଦ୍ରରେ ଭାସୁଥିବା ବେଳେ ସେଥିରେ ୧୪ ମତ୍ସ୍ୟଜୀବୀ ଭାସୁଛନ୍ତି। ଖବର ପାଇ ତୁରନ୍ତ ସେମାନଙ୍କୁ ଉଦ୍ଧାର ପାଇଁ ପାରାଦୀପ ପୋର୍ଟ, ମେରାଇନ ପୁଲିସ୍ ଓ କୋଷ୍ଟଗାର୍ଡ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଛି। ମତ୍ସଜୀବୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ତୁରନ୍ତ ଦୁଇଟି ବୋଟ ସମୁଦ୍ର ମଧ୍ୟକୁ ପଠାଯାଇଛି ।