ୱାନ ନେସନ, ୱାନ ଇଲେକ୍ସନ’ ଅର୍ଥାତ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ । ଏହାକୁ ନେଇ ଆଜି ଆଉ ପାଦେ ଆଗେଇଛନ୍ତି କେନ୍ଦ୍ର ସରକାର। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ‘ୱାନ ନେସନ, ୱାନ ଇଲେକ୍ସନ’କୁ ନେଇ ଗଠିତ କମିଟିର ରିପୋର୍ଟକୁ ମିଳିଛି କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ। ଆସନ୍ତା ଶୀତ ଅଧିବେଶନରେ ସରକାର ଏ ସଂପର୍କିତ ବିଲକୁ ସଂସଦରେ ଉପସ୍ଥାପନ କରିବେ ବୋଲି କୁହାଯାଉଛି।
୨୦୨୩ ସେପ୍ଟେମ୍ବର ମାସରେ ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିଥିଲେ କେନ୍ଦ୍ର ସରକାର। ଦେଶରେ ‘ୱାନ ନେସନ, ୱାନ ଇଲେକ୍ସନ’ କରାଇବାର ସମ୍ଭାବନା ଉପରେ ସମସ୍ତ ଦିଗକୁ ପରିଖି ଏକ ରିପୋର୍ଟ ଦେବା ପାଇଁ ଏହି କମିଟି ଗଠନ ହୋଇଥିଲା । ୧୯୧ ଦିନର ଗବେଷଣା ମଧ୍ୟରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଓ ବିଶେଷଜ୍ଞଙ୍କ ପରାମର୍ଶ ପରେ କମିଟି ୧୮,୬୨୬ ପୃଷ୍ଠାର ଏକ ରିପୋର୍ଟ ପ୍ରସ୍ତୁତ କରିଥିଲା। ଗତ ମାର୍ଚ୍ଚ ମାସରେ କମିଟି ତା’ର ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଥିଲା। ଆଜି ଏହି ରିପୋର୍ଟ ଉପରେ କେନ୍ଦ୍ର କ୍ୟାବିନେଟର ମୋହର ବାଜିଛି।
ଯାହା ସୂଚନା ରହିଛି, କମିଟି ତାଙ୍କ ରିପୋର୍ଟରେ କହିଛନ୍ତି ଯେ ; ସାରା ଦେଶରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେଉ। ପ୍ରଥମ ପର୍ଯ୍ୟାୟରେ ଲୋକସଭା ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥାତ୍ ଲୋକସଭା ଓ ବିଧାନସଭା ନିର୍ବାଚନ ଶେଷ ହେବାର ଶହେ ଦିନ ମଧ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ଓ ମ୍ୟୁନିସିପାଲିଟି ନିର୍ବାଚନ କରାଯିବ। ୨୦୨୯ରୁ ‘ୱାନ ନେସନ, ୱାନ ଇଲେକ୍ସନ’ ଆରମ୍ଭ କରିବାକୁ ସର୍ବସମ୍ମତ ରାୟ ପ୍ରକାଶ ପାଇଥିବା କମିଟି ଉପସ୍ଥାପନ କରିଛି।