ବ୍ୟୁରୋ : ନଦୀ ଉଛୁଳି ଦୁଇକୂଳ ଖାଉଥିବା ବେଳେ ସେଥିରୁ ବାଲି ଉଠାଇବା ଲାଗି ଲିଜଧାରୀ ମାନେ ତତ୍ପର ହୋଇଉଠିଛନ୍ତି । ଏଥିପାଇଁ ଗୋଟେ ବଡ ବୋଟ କୁ ପଙ୍କପାଳ ସ୍ଥିତ ବ୍ରାହ୍ମଣୀ ନଦୀ ନିକଟକୁ ଗୋଟିଏ ବଡ ବୋଟ୍କୁ ଟ୍ରଲରରେ ଲଦି ଅଣାଯାଇଛି । ସମସ୍ତ ସରକାରୀ ଗାଇଡଲାଇନକୁ ଖୋଲା ଉଲଂଘନ କରି ଧାର୍ଯ୍ୟ ପରିମାଣ ଠାରୁ ବହୁ ଗୁଣ ଅଧିକ ବାଲି ନେଇ ପଙ୍କପାଳ ଖାଦାନ-୧ର ଲିଜଧାରୀ ଦିଲ୍ଲୀପ ସାହୁ ଶହ ଶହ ହାଇବା ଟ୍ରକରେ ବାହାରକୁ ଚାଲାଣ କରିଥିଲେ । ବାଲି ଉତ୍ତୋଳନ ସମୟରେ ସମ୍ପୂର୍ଣ୍ଣ ବେଆଇନ ଭାବେ ୩ଟି ହିଟାଚି ସାହାଯ୍ୟରେ ନଦୀଗର୍ଭରେ ୮ ରୁ ୧୦ ଫୁଟ ଶହ ଶହ ଖାଲ କରିଥିଲେ । ନଦୀ ସ୍ରୋତର ଦିଗ ପରିବର୍ତ୍ତନ କରି ସ୍ଥାନୀୟ ବାସିନ୍ଦାଙ୍କ ବିପଦରେ ପକାଇବା ସହ ବଡ ବଡ ଗାଡି ଗୁଡିକୁ ଗ୍ରାମର କଚା ରାସ୍ତାରେ ଅତ୍ୟଧିକ ଚଳପ୍ରଚଳ କରାଇବା ଯୋଗୁଁ ରାସ୍ତା ଦୁର୍ଦଶାକୁ ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ରଖିଥିଲେ ।
ଫଳରେ ଗତ ଜୁଲାଇରେ ତତ୍କାଳୀନ ଜିଲ୍ଲାପାଳ ନିଖିଳ ପୱନ କଲ୍ୟାଣ ମାମଲାକୁ ଗୁରୁତ୍ୱାରୋପ କରି ଘଟଣାସ୍ଥଳରେ ତୁରନ୍ତ ବାଲି ଉଠାଇବା ବନ୍ଦ କରି ଡ଼ିଡ଼ିଏମ ଜୟ ପ୍ରକାଶ ନାୟକଙ୍କୁ ଖାଦାନର ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ । ପରେ ରିପୋର୍ଟ କଥା ଉଠିନଥିଲା ସେହି ସମୟରେ ଜିଲ୍ଲାପାଳଙ୍କ ବଦଳି ଲିଜଧାରୀଙ୍କୁ ଭଗବାନ ଙ୍କ ଆଶୀର୍ବାଦ ଭଳି କାମ କଲା । ମାସଟିଏ ଚୁପ ରହି ପୁଣି ଘୋଟାଲା ଦୁନିଆ କୁ ପ୍ରତ୍ୟାବର୍ତ୍ତନ କଲେ । ସାମ୍ପ୍ରତିକ ସ୍ଥିତିରେ ବନ୍ୟା ପାଣିରେ ବ୍ରାହ୍ମଣୀର ଦୁଇକୂଳ ଉବୁଡୁବୁ ହେଉଥିବା ବେଳେ ବାଲି ଉତ୍ତୋଳନ ନିମନ୍ତେ ନଦୀ ବନ୍ଧରେ ବିଶାଳ ବୋଟ ଥିବା ଦେଖିବାକୁ ମିଳିଛି । ଯଦିଓ ସ୍ଥାନୀୟ ବସି ଏହି କାରନାମା ବନ୍ଦ କରିବା ପାଇଁ ମୁହଁ ଖୋଲନ୍ତି ତେବେ କିଛି ଅସାମାଜିକ ବ୍ୟକ୍ତି ସେମାନଙ୍କୁ ନାଲିଆଖି ଦେଖାଉଥିବା ସ୍ଥାନୀୟ ଲୋକେ କହିଛନ୍ତି । ଏସବୁ କୁ ଦୃଷ୍ଟିରେ ରଖି ନୂତନ ଜିଲ୍ଲାପାଳ ପି.ଅନ୍ଵେଷା ରେଡି ପରିସ୍ଥିତିର ଗମ୍ଭୀରତାକୁ ବୁଝି ପଙ୍କପାଳ- ୧ ବାଲି ଖାଦାନକୁ ସବୁଦିନ ପାଇଁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ସ୍ଥାନୀୟାଵାସୀ ଦାବି କରିଛନ୍ତି ।