ପାଟଣାଗଡ଼ ପାର୍ସଲ ବୋମା ଘଟଣା: କୋର୍ଟରେ ଅରୁଣ ବୋଥ୍ରା

ପାଟଣାଗଡ଼ : ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ସାକ୍ଷ୍ୟ ଦେବାକୁ ପାଟଣାଗଡ଼ କୋର୍ଟରେ ପହଞ୍ଚିଲେ ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇ.ଜି. ଅରୁଣ ବୋଥ୍ରା। ପୂର୍ବରୁ ମୃତ ଇଞ୍ଜିନିୟର ସୌମ୍ୟ ସାହୁଙ୍କ ପତ୍ନୀ ରିମାରାଣୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ପାଟଣାଗଡ଼ ଏଡିଜେ କୋର୍ଟରେ ରିମାରାଣୀଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ୬୦ନଂ ସାକ୍ଷୀ ଭାବରେ ଅରୁଣ ବୋଥ୍ରାଙ୍କ ସାକ୍ଷ୍ୟ ପ୍ରଦାନ କରିଛନ୍ତି।

କୋର୍ଟରେ ସରକାରୀ ଓକିଲ ଓ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ଓକିଲ ଉପସ୍ଥିତ ଥିଲେ। ତେବେ କୋର୍ଟରେ କଣ ଶୁଣାଣି ହୋଇଛି ତାହାର ସୂଚନା ମିଳିନାହିଁ। ବିସ୍ଫୋରଣ ଘଟଣାର ତଦନ୍ତ କରୁଥିଲେ ଅରୁଣ ବୋଥ୍ରା। ବିସ୍ଫୋରଣରେ ନବବଧୂଙ୍କ ସ୍ୱାମୀ ଓ ଜେଜେମାଆଙ୍କ ମୃତ୍ୟୁ ହୋଇଥିଲା।
୨୦୧୮ ମସିହାରେ ଏହି ଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ଘଟିଥିଲା। ପାଟଣାଗଡ଼ ସହରର ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ଘରକୁ ପୁଅ ବାହାଘରରେ ଆସିଥିବା ଏକ ପାର୍ସଲରେ ବୋମା ଥିବାରୁ ଏହାକୁ ଖୋଲିବା ମାତ୍ରେ ବିସ୍ଫୋରଣ ଘଟିଥିଲା। ଏଥିରେ ରବୀନ୍ଦ୍ରଙ୍କ ନବବିବାହିତ ପୁଅ ସୌମ୍ୟଶେଖର ଏବଂ ଜେଜେମାଆଙ୍କ ମୃତ୍ୟୁ ହୋଇଥିଲା। ସୌମ୍ୟଶେଖରଙ୍କ ପତ୍ନୀ ରିମାରାଣୀ ଗୁରୁତର ଆହତ ହୋଇ ଦୀର୍ଘ ଦିନ ଧରି ଚିକିତ୍ସାଧୀନ ହେବା ପରେ ସୁସ୍ଥ ହୋଇଥିଲେ। ଏହି ଘଟଣା ସେତେବେଳେ ରାଜ୍ୟ ତଥା ରାଜ୍ୟ ବାହାରେ ହଇଚଇ ସୃଷ୍ଟି କରିଥିଲା।